ଏବେ ହେବନି ଓଜେଇଇ

ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)କୁ ଘୁଞ୍ଚାଇ ଦିଆଯାଇଛି। ୨୦୨୦-୨୧ ଶିକ୍ଷାବର୍ଷରେ ବି.ଟେକ୍‌ ସମେତ ଏମ୍‌ବିଏ, ଏମ୍‌ସିଏ, ବି.ଟେକ୍‌ ଲାଟେରାଲ ଏଣ୍ଟ୍ରି, ବି.ଫାର୍ମା ଆଦି ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବର ୯ରୁ ୧୫ ମଧ୍ୟରେ କରିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଯୋଜନା ହୋଇଥିଲା। ତେବେ ବର୍ତମାନ ସମୟରେ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ ଏବେ ପରୀକ୍ଷା ନ କରିବାକୁ ଆଜି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କେବେ ପରୀକ୍ଷା ହେବ ସେନେଇ ପରବର୍ତୀ ସମୟରେ ଛାତ୍ରଛାତ୍ରୀଙ୍କୁ ସୂଚନା ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ଓଜେଇଇ କେବେ ହେବ ସେନେଇ ସୋମବାର ‘ସମ୍ବାଦ’ରେ ଖବର ପ୍ରକାଶ ପରେ ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗିଥିଲା। ତୁରନ୍ତ ବୈଠକ ଡାକିବା ସହ ଏହା ଉପରେ ବ୍ୟାପକ ଆଲୋଚନା କରିଥିଲେ। ଗୋଟିଏ ପଟେ ଜେଇଇ ମେନ୍‌ ଓ ଅନ୍ୟପଟେ ୧୩ ତାରିଖରେ ନିଟ୍‌ ପରୀକ୍ଷା ହେଉଥିବାରୁ ଏହି ସମୟରେ ପରୀକ୍ଷା କଲେ ଛାତ୍ରଛାତ୍ରୀ ବହୁ ହଇରାଣ ହେବା ନେଇ ଆଶଙ୍କା ବି ପ୍ରକାଶ ପାଇଥିଲା। ଏମିତିକି ଯଦି ପରୀକ୍ଷା କରାଯାଏ ତେବେ ପିଲାଙ୍କ ସୁରକ୍ଷା ସବୁଠାରୁ ବଡ଼ ଚାଲେଞ୍ଜ ହେବ ବୋଲି କେତେକ ଅଧିକାରୀ ମତପ୍ରକାଶ କରିଥିଲେ। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅନ୍‌ଲାଇନ୍‌ରେ ପରୀକ୍ଷା କରିବାକୁ ଦାୟିତ୍ବ ଦିଆଯାଇଥିବା ସଂସ୍ଥା ବି ବର୍ତମାନ ସମୟରେ ପରୀକ୍ଷା କରାଇବା ସପକ୍ଷରେ ମତ ଦେଇ ନ ଥିଲା। ସରକାରୀ ଆଇଟିଆଇ ଓ ପଲିଟେକ୍‌ନିକ୍‌ରେ ପରୀକ୍ଷା କେନ୍ଦ୍ର କରାଇବାକୁ ଯୋଜନା ହୋଇଥିଲେ ମଧ୍ୟ ବହୁତ କମ୍‌ ସମୟରେ ତାହାକୁ ବିଶୋଧନ କରି ପରୀକ୍ଷା କରାଇବା ସମ୍ଭବପର ନୁହେଁ ବୋଲି ଅଧିକାରୀମାନେ ହୃଦବୋଧ କରିଥିଲେ। ଯେଉଁଥିପାଇଁ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ସ୍ଥିତିରେ ସୁଧାର ଆସିଲେ ଅକ୍ଟୋବର ମାସରେ ପରୀକ୍ଷା କରାଇବାକୁ ଲକ୍ଷ୍ୟ ରଖାଯାଇଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ଚଳିତବର୍ଷ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରର ୭୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଓଜେଇଇ ଦେବେ। ସେମାନଙ୍କ ଲାଗି ଓଡ଼ିଶା ଭିତରେ ୨୧ଟି ଓ ବାହାରେ ୩ଟି ସହରରେ ପରୀକ୍ଷା କେନ୍ଦ୍ର କରାଯିବ ବୋଲି ଓଜେଇଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର