ବାହାରୁନି ଫଳ, ହେଉନି କାଉନସେଲିଂ: ରାଙ୍କ୍‌ ଧରି ବସିଛନ୍ତି ଛାତ୍ରଛାତ୍ରୀ

ସେ‌ପ୍ଟେମ୍ବରରେ ଇଞ୍ଜିନିୟରିଂ କାଉନସେଲିଂ, ସ୍ନାତକ ପରୀକ୍ଷା ଫଳ ବାହାରିବାରେ ବିଳମ୍ବ

ଭୁବନେଶ୍ବର : ୧୫ ଦିନ ହେଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଫଳ ପ୍ରକାଶ ପାଇଲାଣି। ବିଭିନ୍ନ ପାଠ୍ୟକ୍ରମରେ ଯୋଗ୍ୟ ଛାତ୍ରଛାତ୍ରୀ ରୢାଙ୍କ୍‌ କାର୍ଡ ପାଇ ସାରିଛନ୍ତି। ମାତ୍ର କାଉନସେଲିଂ ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଉଚ୍ଚଶିକ୍ଷା ପାଇଁ ବାଟ ପାଉନାହାନ୍ତି। କେବେ କାଉନସେଲିଂ ହେବ ସେନେଇ କାହା ପାଖରେ ଉତ୍ତର ବି ନାହିଁ। କିଏ କହୁଛି ଅଗଷ୍ଟ ଶେଷ ସପ୍ତାହରୁ ତ ଆଉ କିଏ କହୁଛି ସେପ୍ଟେମ୍ବର ପ୍ରଥମ ସପ୍ତ‌ାହରୁ। ଇଞ୍ଜିନିୟରିଂ ପାଠ୍ୟକ୍ରମ ଲାଗି କାଉନସେଲିଂ ହେଲା ବେଳକୁ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହ ଟପିଯିବ। ଏମ୍‌ବିଏ, ଏମ୍‌ସିଏ, ବି.ଫାର୍ମା ପରି ପାଠ୍ୟକ୍ରମ ଲାଗି ହେବାକୁ ଥିବା କାଉନସେଲିଂ ସମୟକୁ ନେଇ ଏବେ ଅନିଶ୍ଚିତତା ଲାଗିରହିଛି। କାରଣ ଉକ୍ତ ପାଠ୍ୟକ୍ରମଗୁଡ଼ିକ ପାଇଁ ଆବଶ୍ୟକୀୟ ଯୋଗ୍ୟତା ପାଠ୍ୟକ୍ରମର ପରୀକ୍ଷା ଫଳ ଏପର୍ଯ୍ୟନ୍ତ ପ୍ରକାଶ ପାଇ ନାହିଁ। ବିଶ୍ବବିଦ୍ୟାଳୟ, କଲେଜଗୁଡ଼ିକର ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶରେ ବିଳମ୍ବ ହେଉଥିବାରୁ ଛାତ୍ରଛାତ୍ରୀ, ଅଭିଭାବକ ଚିନ୍ତାରେ ପଡ଼ିଲେଣି।

ଓଡ଼ିଶାର ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ନାମଲେଖାଉଥିବା ଇଞ୍ଜିନିୟରିଂ ପାଠ୍ୟକ୍ରମର କାଉନସେଲିଂ ବିଳମ୍ବ ହେବା ନେଇ ସ୍ପଷ୍ଟ ଜଣାପଡ଼ିଛି। କାରଣ ଗତ ୮ ତାରିଖରେ ଜେଇଇ ମେନ୍‌ ଫଳ ପ୍ରକାଶ ପାଇବା ସହ ଜେଇଇ ଆଡଭାନ୍ସଡ୍‌ ଲାଗି ପଞ୍ଜୀକରଣ ଆରମ୍ଭ ହୋଇଛି। ଅଗଷ୍ଟ ୨୮ରେ ଆଡଭାନ୍ସଡ୍‌ ପରୀକ୍ଷା କରାଯିବ ଏବଂ ଆପାତତଃ ସେପ୍ଟେମ୍ବର ୧୧ରେ ଫଳ ପ୍ରକାଶ ପାଇବ। ଏହାପରେ ସର୍ବଭାରତୀୟ ଇଞ୍ଜିନିୟରିଂ କାଉନସେଲିଂ ଆରମ୍ଭ ହେବା ପରେ ଓଜେଇଇ କାଉନସେଲିଂ କରିବ ବୋଲି ଜଣାପଡ଼ିଛି। ଅର୍ଥାତ୍‌ ଆସନ୍ତା ଏକ ମାସ ମଧ୍ୟରେ ଇଞ୍ଜିନିୟରିଂ କାଉନସେଲିଂ ହେବାର ନାହିଁ। ଏଭଳି ବିଳମ୍ବକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଶିକ୍ଷାବର୍ଷ ପୁଣିଥରେ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି। କାରଣ ଏମିତିରେ ୨୦୨୨-୨୩ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଗୋଟିଏ ମାସ ବିଳମ୍ବ ହେଲାଣି। କାଉନସେଲିଂ ପ୍ରକ୍ରିୟା ଶେଷ କରି ପାଠପଢ଼ା ଆରମ୍ଭ ହେଲା ବେଳକୁ ଅକ୍ଟୋବର ମାସ ହୋଇଯିବ। ତେଣୁ ଇଞ୍ଜିନିୟରିଂ ପାଠ୍ୟକ୍ରମର ଶିକ୍ଷାବର୍ଷ ୩ ମାସ ପଛୁଆ ଚାଲିବା ଏକପ୍ରକାର ଥୟ।

ବି.ଫାର୍ମା ପାଠ୍ୟକ୍ରମରେ ବି ସମାନ ଅବସ୍ଥା ଉପୁଜିଛି। ନିଟ୍‌-ୟୁଜି ରେଜଲ୍ଟ ପ୍ରକାଶ ପାଇ ନ ଥିବାରୁ କାଉନସେଲିଂ ପ୍ରକ୍ରିୟା ହୋଇପାରୁ ନାହିଁ। ଛାତ୍ରଛାତ୍ରୀ ରୢାଙ୍କ କାର୍ଡ ଧରି ବସି ରହିଛନ୍ତି। ଅଗଷ୍ଟ ତୃତୀୟ ସପ୍ତାହରେ ଏହି ରେଜଲ୍ଟ ପ୍ରକାଶ ପାଇବାର ସମ୍ଭାବନା ରହିଛି। ତେଣୁ ବି.ଫାର୍ମା କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେଉ ହେଉ ଅଗଷ୍ଟ ଶେଷ ସପ୍ତାହ ହୋଇଯିବ। ଏମ୍‌ବିଏ, ଏମ୍‌ସିଏ ପାଠ୍ୟକ୍ରମ ଲାଗି ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇ ନ ଥିବାରୁ କାଉନସେଲିଂ ବିଳମ୍ବ ହେଉଥିବା ଜଣାପଡ଼ିଛି। ଅର୍ଥାତ୍‌ ଏହି ପାଠ୍ୟକ୍ରମରେ ଯୁକ୍ତ୩ ତଥା ସ୍ନାତକ ଯୋଗ୍ୟତାଧାରୀ ଛାତ୍ରଛାତ୍ରୀ ନାମ ଲେଖାଇଥାନ୍ତି। ହେଲେ ଗୋଟିଏ ବି ହେଲେ ସରକାରୀ ବିଶ୍ବବିଦ୍ୟାଳୟ ଏପର୍ଯ୍ୟନ୍ତ ସ୍ନାତକ ପରୀକ୍ଷା ଫଳ ପ୍ରକାଶ କରି ନାହାନ୍ତି। ଯେତେବେଳେ କି ଅଗଷ୍ଟ ୧୫ ସୁଦ୍ଧା ସମସ୍ତ ବିଶ୍ବବିଦ୍ୟାଳୟ ପରୀକ୍ଷା ଫଳ ପ୍ରକାଶ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। କିଛି ଘରୋଇ ବିଶ୍ବବିଦ୍ୟାଳୟ ଫଳ ପ୍ରକାଶ କରି ସାରିଥିବାରୁ ସେଠାକାର ପିଲାମାନେ ଉଚ୍ଚଶିକ୍ଷା ପାଇଁ ଅନେଇ ବସିଛନ୍ତି। ମାତ୍ର ସରକାରୀ ବିଶ୍ବବିଦ୍ୟାଳୟର ବିଳମ୍ବ ଯୋଗୁଁ ଓଡ଼ିଶାର ହଜାର ହଜାର ଛାତ୍ରଛାତ୍ରୀ ଏବେ ଚିନ୍ତାରେ ପଡ଼ିଛନ୍ତି।

ଓଜେଇଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅଗଷ୍ଟ ୧୦ରେ କାଉନସେଲିଂ ପ୍ରକ୍ରିୟା ଆରମ୍ଭ କରିବାକୁ ଆମେ ପ୍ରସ୍ତୁତ ହୋଇଥିଲୁ। ମାତ୍ର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇ ନ ଥିବାରୁ ପଦକ୍ଷେପ ନେଇପାରି ନାହୁଁ। ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଏବେ କାଉନସେଲିଂ ହେବାର ନାହିଁ। ଏଥିପାଇଁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ରୢାଙ୍କଧାରୀ ଛାତ୍ରଛାତ୍ରୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଅଗଷ୍ଟ ମାସରେ କିଛି ପାଠ୍ୟକ୍ରମର କାଉନସେଲିଂ ହୋଇପାରେ। ତେବେ କେବେ ଆରମ୍ଭ ହେବ ସେନେଇ କହିବା ସମ୍ଭବ ନୁହେଁ।

ସମ୍ବନ୍ଧିତ ଖବର