ଜୁଲାଇ ୪ରୁ ଓଜେଇଇ

ଭୁବନେଶ୍ବର : ଜୁଲାଇ ୪ରୁ ଆରମ୍ଭ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)। ୪ ଦିନ ଧରି ଚାଲିବାକୁ ଥିବା ଏହି ପରୀକ୍ଷାକୁ ତିନୋଟି ସିଫ୍ଟରେ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ କରାଯିବ। ପ୍ରଥମ ସିଫ୍ଟ ପରୀକ୍ଷା ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଦ୍ବିତୀୟ ସିଫ୍ଟ ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୨ଟା ୩୦, ତୃତୀୟ ସିଫ୍ଟ ଅପରାହ୍ନ ୪ଟାରୁ ୬ଟା‌ ମଧ୍ୟରେ ଅନୁଷ୍ଠିତ ହେବ। ଜୁଲାଇ ୪ରେ ତିନୋଟି ଯାକ ସିଫ୍ଟରେ କେବଳ ଲାଟେରାଲ ଏଣ୍ଟ୍ରି ଟେକ୍ନୋଲୋଜି(ଡିପ୍ଲୋମା) ପରୀକ୍ଷା ହେବାକୁ ଥିବା ବେଳେ ୫ ତାରିଖରେ ପ୍ରଥମ ଓ ଦ୍ବିତୀୟ ସିଫ୍ଟରେ ଏମ୍‌ସିଏ/ଏସ୍‌ଏସ୍‌ସି(କମ୍ପ୍ୟୁଟର ସାଇନ୍ସ), ତୃତୀୟ ସିଫ୍ଟରେ ଏମ୍‌.ଟେକ୍‌, ଏମ୍‌.ଆର୍କିଟେକ୍‌, ଏମ୍‌.ପ୍ଲାନ, ଏମ୍‌.ଫାର୍ମା, ବି.କାଟ୍‌ ପରୀକ୍ଷା ରହିଛି। ୬ ତାରିଖ ପ୍ରଥମ ଓ ଦ୍ବିତୀୟ ସିଫ୍ଟରେ ଏମ୍‌ବିଏ ଓ ତୃତୀୟ ସିଫ୍ଟରେ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ଲାଟେରାଲ ଏଣ୍ଟ୍ରି(ବିଏସ୍‌ସି) ଓ ବି.କାଟ୍‌(ଫିଲ୍ମ ଏଡିଟିଂ) ବିଷୟ ପାଇଁ ପରୀକ୍ଷା କରାଯିବ। ୮ ତାରିଖରେ ପ୍ରଥମ ଓ ଦ୍ବିତୀୟ ସିଫ୍ଟରେ ବି/ଫାର୍ମା ବିଷୟରେ ନାମଲେଖା ଲାଗି ପ୍ରବେଶିକା‌ ପରୀକ୍ଷା ହେବ। ଜୁନ୍‌ ୨୭ ତାରିଖଠାରୁ ପରୀକ୍ଷାର୍ଥୀ ଓଜେଇଇ ୱେବସାଇଟ୍‌ରୁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରିପାରିବେ।

ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି ଯେ ଏଥର ଓଜେଇଇ ଦେବାକୁ ପ୍ରାୟ ୬୫ ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୫୮ ହଜାର ପିଲା ଫର୍ମ ପୂରଣ କରିଛନ୍ତି, ଯାହାକି ଗତବର୍ଷ ତୁଳନାରେ ଦୁଇ ହଜାର ଅଧିକ। କରୋନା ଯୋଗୁଁ ଦୁଇ ବର୍ଷ ହେଲା ଗୋଟିଏ ଥର ଓଜେଇଇ ଅନୁଷ୍ଠିତ ହେଉଥିଲା। ମାତ୍ର ଏଥର ପୁଣିଥରେ ପୁରୁଣା ଢାଞ୍ଚାକୁ ଫେରି ସ୍ବତନ୍ତ୍ର ଓଜେଇଇ କରିବାକୁ ନିଷ୍ପତ୍ତି ହୋଇଛି। ଏହି ପରୀକ୍ଷା ସେପ୍ଟେମ୍ବର ମାସରେ କରାଯିବ। ଯେଉଁଥିରେ ବି.ଟେକ୍‌ ସମତେ ଅନ୍ୟାନ୍ୟ ପାଠ୍ୟକ୍ରମରେ ନାମଲେଖା ଲାଗି ଆଗ୍ରହୀ ଥିବା ଛାତ୍ରଛାତ୍ରୀ ଭାଗନେଇପାରିବେ।

ସମ୍ବନ୍ଧିତ ଖବର