୬ରୁ ଓଜେଇଇ: ୩ଟି ସିଟିଂରେ ହେବ ପରୀକ୍ଷା

ଭୁବନେଶ୍ବର : ସେପ୍ଟେମ୍ବର ୬ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଜେଇ) ଆରମ୍ଭ ହୋଇ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ୩ଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ। ପୂର୍ବାହ୍ନ ୯ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ, ମଧ୍ୟାହ୍ନ ୧୨ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଦ୍ବିତୀୟ ଓ ଅପରାହ୍ଣ ୪ଟାରୁ ୬ଟା ପର୍ଯ୍ୟନ୍ତ ତୃତୀୟ ସିଟିଂ ପରୀକ୍ଷା ଅନୁଷ୍ଠିତ ହେବ।

ପ୍ରଥମ ଦିନ ବି.ଫାର୍ମାରେ ନାମଲେଖା ଲାଗି ପରୀକ୍ଷା ହେବାକୁ ଥିବା ବେଳେ ୭ରୁ ୯ ତାରିଖ ଯାଏ ଲାଟେରାଲ ଏଣ୍ଟ୍ରି ଟେକ୍ନୋଲୋଜି(ଡିପ୍ଲୋମା) ପରୀକ୍ଷା ରହିଛି। ଏଥିସହ ୭ ତାରିଖରେ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ୮ ତାରିଖରେ ଏମ୍‌ ଫାର୍ମା, ଲାଟେରାଲ ଏଣ୍ଟ୍ରି ଫାର୍ମା, ଲାଟେରାଲ ଏଣ୍ଟ୍ରି ଟେକ୍ନୋଲୋଜି(ବିଏସ୍‌ସି) ପରୀକ୍ଷା କରାଯିବ। ୯ ତାରିଖରେ ଏମ୍‌ଟେକ୍‌(୧୧ ବିଷୟ), ଏମ୍‌ ଆର୍କିଟେକ୍‌ ଓ ଏମ୍‌ ପ୍ଲାନ, ୧୫ ତାରିଖରେ ଏମ୍‌ବିଏ, ୧୬ ତାରିଖରେ ବି.ଟେକ୍‌ ଓ ୧୮ରେ ଏମ୍‌ସିଏ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

ପରୀକ୍ଷା ସମ୍ପର୍କରେ ଏସ୍‌ଓପି ଓ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ ସମ୍ପର୍କରେ ପରବର୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ଓଜେଇଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ନିୟମିତ ଭାବେ ଓଜେଇଇ ୱେବସାଇଟ୍‌ www.ojee.nic.in/www.odishajee.com ଦେଖିବାକୁ ଓଜେଇଇ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯାଇଛି।

ସମ୍ବନ୍ଧିତ ଖବର