ଭୁବନେଶ୍ବର : ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନର ଏମ୍ବିଏ, ଏମ୍ସିଏ, ଏମ୍ଏସ୍ସି, ଏମ୍ଟେକ୍, ଏମ୍ ପ୍ଲାନ, ଲାଟେରାଲ୍ ଏଣ୍ଟ୍ରି ବିଏମ୍ବିଏ, ଲାଟେରାଲ ଏଣ୍ଟ୍ରି ବିଏସ୍ସି ଭଳି ୧୧ଟି ପାଠ୍ୟକ୍ରମରେ ନାମଲେଖା ଲାଗି ସୋମବାରଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ୧୫ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରବେଶିକା ପରୀକ୍ଷା ଲାଗି ରାଜ୍ୟର ପ୍ରତି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯିବା ସହ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରରେ ୩ଟି ପରୀକ୍ଷା କେନ୍ଦ୍ର ହୋଇଛି। ମୋଟ ୩୩ଟି ସହରରେ ୪୭ ପରୀକ୍ଷା କେନ୍ଦ୍ର ହୋଇଛି। ମେ ୮, ୯, ୧୧, ୧୨ ତାରିଖରେ ୩ଟି ସିଫ୍ଟ ଓ ୧୫ ତାରିଖରେ ଦୁଇଟି ସିଫ୍ଟରେ ଏହି ପରୀକ୍ଷା କରାଯିବ। ପ୍ରଥମ ସିଫ୍ଟ ପୂର୍ବାହ୍ନ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦ୍ବିତୀୟ ସିଫ୍ଟ ମଧ୍ୟାହ୍ନ ସାଢେ ୧୨ଟାରୁ ଅପରାହ୍ଣ ୨ଟା ୩୦, ତୃତୀୟ ସିଫ୍ଟ ଅପରାହ୍ଣ ସାଢ଼େ ୪ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଚାଲିବ।
ଚଳିତବର୍ଷ ମୋଟ ୫୫ ହଜାର ୯୭୯ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଲାଟେରାଲ ଏଣ୍ଟ୍ରି ଡିପ୍ଲୋମାରେ ସର୍ବାଧିକ ଛାତ୍ରଛାତ୍ରୀ ୧୭ ହଜାର ୭୬୩, ବି ଫାର୍ମାରେ ୧୩ ହଜାର ୮୧୩, ଏମବିଏରେ ୯,୩୦୫, ଏମସିଏ ଓ ଏମଏସସି କମ୍ପ୍ୟୁଟର ସାଇନ୍ସରେ ୮,୮୪୧ ଛାତ୍ରଛାତ୍ରୀ ରହିଛନ୍ତି। ବାକି ଛାତ୍ରଛାତ୍ରୀ ବି କ୍ୟାଟ୍, ଏମ ଆର୍କ, ଏମ ଫାର୍ମା, ଏମ ଟେକ୍ ପରି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପରୀକ୍ଷା ଦେବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପ୍ୟୁଟର ବେସ୍ଡ ଟେଷ୍ଟ(ସିବିଟି) ମାଧ୍ୟମରେ ହେବାକୁ ଥିବା ଏହି ପରୀକ୍ଷା ଲାଗି ସମସ୍ତ କେନ୍ଦ୍ରରେ ପ୍ରସ୍ତୁତି ଶେଷ ହୋଇଥିବା ନେଇ ଓଜେଇଇ ଅଧ୍ୟକ୍ଷ ପ୍ରବୀଣ କୁମାର କର କହିଛନ୍ତି।