ଜୁନ୍‌ରେ ଓଜେଇଇ, ଛାତ୍ରଛାତ୍ରୀମାନେ ଏପ୍ରିଲ ୧୩ ପର୍ଯ୍ୟନ୍ତ ଓଜେଇଇ ୱେବସାଇଟ୍‌ରେ ଆବେଦନ କରିପାରିବେ

ଭୁବନେଶ୍ବର : ରାଜ୍ୟର ସରକାରୀ ଓ ଘରୋଇ କଲେଜ, ବିଶ୍ବବିଦ୍ୟାଳୟଗୁଡ଼ିକର ବୈଷୟିକ ପାଠ୍ୟକ୍ରମରେ ନାମଲେଖା ଲାଗି ‌ଜୁନ୍‌ରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ଜୁନ୍‌ ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ଆୟୋଜିତ ହେବାକୁ ଥିବା ଏହି ପରୀକ୍ଷା କମ୍ପ୍ୟୁଟର୍‌ ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ କରାଯିବ। ଏଥିପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ଛାତ୍ରଛାତ୍ରୀ ଏପ୍ରିଲ ୧୩ ପର୍ଯ୍ୟନ୍ତ ଓଜେଇଇ ୱେବସାଇଟ୍‌ ‘www.ojee.nic.in’ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ପୂର୍ବରୁ ୱେବସାଇଟ୍‌ରେ ଥିବା ଇନ୍‌ଫରମେସନ୍‌ ବ୍ରୋଚର୍‌କୁ ଭଲ ଭାବେ ପଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ପରୀକ୍ଷା ପାଇଁ ଯୋଗ୍ୟତା, ସଂରକ୍ଷଣ ନୀତି, ପରୀକ୍ଷା ପାର୍ଟନ, ସିଲାବସ୍‌ ଆଦି ସମ୍ପର୍କରେ ଏଥିରେ ଉଲ୍ଲେଖ ହୋଇଛି।

ଓଡ଼ିଶା ବାହାର ଛାତ୍ରଛାତ୍ରୀ ରାଜ୍ୟରେ ଥିବା ସରକାରୀ କଲେଜରେ ନାମଲେଖା ଲାଗି ଯୋଗ୍ୟତା ଅର୍ଜନ କରିପାରି‌ବେ ନାହିଁ। ତେବେ ଓଡ଼ିଶା ସରକାରଙ୍କ ନିୟମ ଅନୁଯାୟୀ, ବାହାର ରାଜ୍ୟର ପିଲା ଘରୋଇ କଲେଜରେ ନାମ ଲେଖାଇପାରିବେ। ଏମ୍‌ବିଏ, ଏମ୍‌ସିଏ, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ବି.ଫାର୍ମା, ବି.କାଟ୍‌, ଏମ୍‌.ଟେକ୍‌, ଏମ୍‌.ଟେକ୍‌(ପାର୍ଟ-ଟାଇମ୍‌), ଏମ୍‌ ଆର୍କିଟେକ୍‌, ଏମ୍‌ ପ୍ଲାନ, ଏମ୍‌ ଫାର୍ମା, ଲାଟେରାଲ ଏଣ୍ଟ୍ରି ବି.ଟେକ୍‌/ବି.ଫାର୍ମା ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚାହୁଥିବା ଛାତ୍ରଛାତ୍ରୀଙ୍କୁ ଓଜେଇଇ ‌ପରୀକ୍ଷା ଦେବାକୁ ପଡ଼ିବ। ତେବେ ବି.ଟେକ୍‌, ବି.ଆର୍କିଟେକ୍‌, ବି.ପ୍ଲାନ, ବି.କାଟ୍‌, ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି, ଏମ୍‌ବିବିଏସ୍‌, ବିଡିଏସ୍‌, ବିଏଏମ୍‌ଏସ୍‌, ବିଏଚ୍‌ଏମ୍‌ଏସ୍‌ ପାଠ୍ୟକ୍ରମରେ ଲାଗି ଛାତ୍ରଛାତ୍ରୀଙ୍କୁ ନ୍ୟା‌ସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ବାରା ପରିଚ‌ାଳିତ ଜେଇଇ ମେନ୍‌ ଓ ନିଟ୍‌(ୟୁଜି) ପରୀକ୍ଷାରେ ଅଂଶଗ୍ରହଣ କରିବେ। ସଦ୍ୟତମ ତଥ୍ୟ ଓ ବିଜ୍ଞପ୍ତି ଲାଗି ଛାତ୍ରଛାତ୍ରୀ ଗୁଗଲ୍‌ ପ୍ଲେ’ ଷ୍ଟୋର୍‌ରୁ ଓଜେଇଇ ଆପ୍‌ ଡାଉନଲୋଡ୍‌ କରି ଜାଣିପାରିବେ। ନଚେତ୍‌ www.ojee.nic.in / www.odishajee.com ୱେବସାଇଟ୍‌ ମାଧ୍ୟମରେ ଅଧିକ ତଥ୍ୟ ପାଇପାରିବେ।

ସମ୍ବନ୍ଧିତ ଖବର