ଓ-ଜେଇଇ ଫଳ ପ୍ରକାଶ : ଏମ୍‌ସିଏରେ ବିପ୍ଳବ, ଏମ୍‌ବିଏରେ ଶୁଭ୍ରଜିତ୍‌ ଟପର୍‌

ଭୁବନେଶ୍ୱର : ଇଞ୍ଜିନିୟରିଂ, ମେଡିକାଲ ପାଠ୍ୟକ୍ରମ ବ୍ୟତୀତ ଅନ୍ୟ ୧୨ଟି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅନୁଷ୍ଠିତ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓ-ଜେଇଇ) ଫଳ ପ୍ରକାଶ ପାଇଛି। ରାଜ୍ୟ ଯୋଜନା ସଂଯୋଜନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଉଷା ଦେବୀ ଆଜି ସଚିବାଳୟ ପରିସରରେ ପରୀକ୍ଷା ଫଳ ପୁସ୍ତିକାକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ। ସମସ୍ତ ପାଠ୍ୟକ୍ରମ ପାଇଁ ୪୮ ହଜାର ୩୧୮ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ହଜାର ୩୦ ଜଣ ଅନୁପସ୍ଥିତ ରହିଥିଲେ। ୪୨ ହଜାର ୨୮୩ ଜଣ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବାରୁ ସେମାନଙ୍କୁ ର‍୍ୟାଙ୍କକାର୍ଡ ମିଳିଛି। ୫ ଜଣ ପରୀକ୍ଷାର୍ଥୀ ର‍୍ୟାଙ୍କ କାର୍ଡ ପାଇ ନ ଥିବା ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

ଏମ୍‌ବିଏ ପାଠ୍ୟକ୍ରମରେ ଶୁଭ୍ରଜିତ ପଣ୍ଡା ଟପର୍‌ ହୋଇଛନ୍ତି। ସେହିପରି ଏମ୍‌ସିଏରେ ବିପ୍ଳବ ସାମନ୍ତରାୟ, ଫାର୍ମାସିରେ ଶୁଭମ୍‌, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏରେ ତନୁଶ୍ରୀ ବେହେରା, ଲାଟେରାଲ ଏଣ୍ଟ୍ରି-ବିଟେକ୍‌ରେ ବୁଶ୍ରା ଖାତୁନ୍‌, ଲାଟେରାଲ ଏଣ୍ଟ୍ରି-ଏମ୍‌ସିଏରେ ଜାହିଦ୍‌ ଆଖତର୍‌, ଲାଟେରାଲ୍‌ ଏଣ୍ଟ୍ରି ଫାର୍ମାସିରେ ବିକାଶ କେଶରୀ ମାଝୀ, ବିଏସ୍‌ସି-ଲାଟେରାଲ ଏଣ୍ଟ୍ରିରେ କ୍ଷୀତିଶ ପଟ୍ଟନାୟକ, ଏମ୍‌ଟେକ୍‌ରେ ସୌମ୍ୟବ୍ରତ ବାନାର୍ଜୀ, ଏମ୍‌ଫାର୍ମାରେ ବିଦିଶା ବିଶ୍ୱାସ୍‌, ଏମ୍‌ଆର୍କରେ ସତୃଷ୍ଣ କୁମାର ମହାପାତ୍ର, ଏମ୍‌ପ୍ଲାନ୍‌ରେ ଅଙ୍କିତା ପଣ୍ଡା ରାଜ୍ୟରେ ଟପର୍‌ ହୋଇଛନ୍ତି। ଛାତ୍ରଛାତ୍ରୀ ‘www.ojee.nic.in’ ଏବଂ ‘www.odishajee.com’ ଓ୍ଵବସାଇଟ୍‌ ମାଧ୍ୟମରେ ଫଳ ଜାଣିପାରିବେ। ଏଥିସହ ଆଣ୍ଡ୍ରଏଡ୍‌ ଆପ୍‌ OJEE2018ରୁ ର‍୍ୟାଙ୍କ କାର୍ଡ ଡାଉନ୍‌ଲୋଡ୍‌ କରି ସେମାନଙ୍କ ରେଜଲ୍ଟ ପାଇପାରିବେ।

ସମ୍ବନ୍ଧିତ ଖବର