ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ଓଜେଇଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ଫଳ ବୁଧବାର ପ୍ରକାଶ ପାଇଛି। ଏ ବର୍ଷ ମୋଟ ୬୫ ହଜାର ୭୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଲାଗି ପଞ୍ଜୀକୃତ କରିଥିବା ବେଳେ ୪୯ ହଜାର ୩୬୦ ଜଣ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪୯ ହଜାର ୨୭୯ ଜଣଙ୍କୁ ରୢାଙ୍କ୍ ମିଳିଛି। ପରୀକ୍ଷାର୍ଥୀମାନେ ଓଜେଇଇ ୱେବସାଇଟ୍ www.ojee.nic.in ରୁ ନିଜ ନିଜର ରୢାଙ୍କ୍ କାର୍ଡ ପାଇପାରିବେ। ପରୀକ୍ଷାର୍ଥୀ ନିଜ ନିଜର ପ୍ରଦର୍ଶନ ଅନୁସାରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମ ଲେଖାଇପାରିବେ।
ବି.ଟେକ୍ ସ୍ବତନ୍ତ୍ରରେ ୬୯୩୧ ଜଣଙ୍କୁ ରୢାଙ୍କ ମିଳିଥିବା ବେଳେ ଲାଟେରାଲ ଏଣ୍ଟ୍ରି-ଟେକ୍ନୋଲୋଜି(ଡିପ୍ଲୋମା)ରେ ୧୪ ହଜାର ୧୬୮, ଏଣ୍ଟ୍ରି-ଟେକ୍ନୋଲୋଜି(ବି.ଏସ୍ସି) ୨୭୨, ବି.ଫାର୍ମାରେ ୧୦ ହଜାର ୪୪୧, ଏମ୍ବିଏରେ ୮୧୮୯, ଏମ୍ସିଏରେ ୫୨୮୧, ଇଣ୍ଟିଗ୍ରେଟେଡ୍ ଏମ୍ବିଏରେ ୬୨୭, ଲାଟେରାଲ ଏଣ୍ଟ୍ରି ଫାର୍ମାରେ ୫୪୨, ଏମ୍ ଫାର୍ମାରେ ୯୯୬, ଏମ୍ ଆର୍କିଟେକ୍ରେ ୨୨, ଏମ୍ ପ୍ଲାନରେ ୩୭ ଓ ଏମ୍ ଟେକ୍ରେ ୧୬୧ ଜଣଙ୍କୁ ରୢାଙ୍କ୍ ମିଳିଥିବା ନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଘୋଷଣା କରିଛନ୍ତି।
ଆଜି ଅପରାହ୍ଣରେ ଲୋକସେବା ଭବନରେ ଶ୍ରୀ ନାୟକ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ହେମନ୍ତ ଶର୍ମା, ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ଓଜେଇଇ ଅଧ୍ୟକ୍ଷ ଓ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ବି.ଫାର୍ମାରେ ଲକ୍ଷ୍ମୀପ୍ରିୟା ସେନାପତି, ଏଣ୍ଟ୍ରି-ଟେକ୍ନୋଲୋଜି(ଡିପ୍ଲୋମା)ରେ ପିକିନାରାଣୀ ସାହୁ, ଏଣ୍ଟ୍ରି-ଟେକ୍ନୋଲୋଜି(ବି.ଏସ୍ସି)ରେ ଦୀପକ ସା, ଏମ୍ସିଏରେ ନିଶିକାନ୍ତ ପରିଡ଼ା, ଇଣ୍ଟିଗ୍ରେଟେଡ୍ ଏମ୍ବିଏରେ ରୁଦ୍ରପ୍ରସାଦ ରଥ, ଲାଟେରାଲ ଏଣ୍ଟ୍ରି ଫାର୍ମାରେ ଗୁଣାକାର ସାହୁ, ଏମ୍ ଫାର୍ମାରେ କେ ସଞ୍ଜନା ସୁବୁଦ୍ଧି, ଏମ୍ ଆର୍କିଟେକ୍ରେ ପ୍ରଣବ ଚନ୍ଦ୍ର ବିନ୍ଧାଣୀ, ଏମ୍ ପ୍ଲାନ୍ରେ ବିଶ୍ବଜିତ୍ ସ୍ବାଇଁ ଓ ଏମ୍ ଟେକ୍ର ବିଭିନ୍ନ ବିଭାଗରେ ଭିନ୍ନ ଭିନ୍ନ ବିଷୟରେ ପରୀକ୍ଷାର୍ଥୀ ଟପର୍ ହୋଇଥିବା ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି।