ଭୁବନେଶ୍ବର: ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ତଥା ଶିକ୍ଷାନୁଷ୍ଠାନରେ ପ୍ରଚଳିତ ୧୭ଟି ବୈଷୟିକ ତଥା ବୃତ୍ତିଗତ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ଓଜେଇଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ଫଳ ପ୍ରକାଶ ପାଇଛି। ଏ ବର୍ଷ ମୋଟ ୯୨ ହଜାର ୪୮୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଲାଗି ପଞ୍ଜୀକୃତ ହୋଇଥିବା ବେଳେ ୮୦ ହଜାର ୩୨୪ଜଣ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ନର୍ସିଂ ପାଠ୍ୟକ୍ରମ ବ୍ୟତୀତ ଅନ୍ୟାନ୍ୟ ପାଠ୍ୟକ୍ରମ ମଧ୍ୟରୁ ୫୫,୩୬୨ ପରୀକ୍ଷାର୍ଥୀଙ୍କୁ ନିଜ ନିଜ ପ୍ରଦର୍ଶନ ଅନୁଯାୟୀ ରୢାଙ୍କ୍ ମିଳିଛି। ନର୍ସିଂ ପାଠ୍ୟକ୍ରମର ଫଳ ରାଜ୍ୟ ଡିଏମ୍ଇଟି ଦ୍ବାରା ପ୍ରକାଶିତ ହେବ। ପରୀକ୍ଷାର୍ଥୀ ଓଜେଇଇ ୱେବସାଇଟ୍ www.ojee.nic.in ରୁ ନିଜ ରୢାଙ୍କ୍ କାର୍ଡ ପାଇପାରିବେ। ପରୀକ୍ଷାର୍ଥୀ ନିଜ ନିଜର ପ୍ରଦର୍ଶନ ଅନୁସାରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଜେଇଇ କାଉନସେଲିଂରେ ଅଂଶଗ୍ରହଣ କରିପାରିବେ।
ବି.ଫାର୍ମାରେ ଯତୀନ୍ ମେହେର ଟପର୍ ହୋଇଥିବା ବେଳେ ଲାଟେରାଲ୍ ଏଣ୍ଟ୍ରି-ଟେକ୍ନୋଲୋଜି(ଡିପ୍ଲୋମା)ରେ ଗୌରବ ସ୍ବାଇଁ, ଲାଟେରାଲ୍ ଏଣ୍ଟ୍ରି-ଟେକ୍ନୋଲୋଜି(ବି.ଏସ୍ସି)ରେ ସାକ୍ଷୀ କୁମାରୀ, ଏଲ୍ଇ-ଫାର୍ମାରେ ସାଗରିକା ଦାଶ, ଏମ୍ବିଏରେ ଅନୁରାଗ ମିଶ୍ର, ଏମ୍ସିଏ/ଏମ୍ଏସ୍ସି(କମ୍ପ୍ୟୁଟର ସାଇନ୍ସ)ରେ ଏସ୍ ସିସେନ୍ଦ୍ରି, ଇଣ୍ଟିଗ୍ରେଟେଡ୍ ଏମ୍ବିଏରେ ଅଂଶୁମାନ ପତି ଶୀର୍ଷରେ ରହିଛନ୍ତି। ବି.କାଟ୍(ସିନେମାଟୋଗ୍ରାଫି ଆଣ୍ଡ୍ ସାଉଣ୍ଡ୍ ରେକର୍ଡିଂ ଓ ଡିଜାଇନ୍)ରେ ନେହା ପ୍ରିୟଦର୍ଶିନୀ, ବି.କାଟ୍(ଫିଲ୍ମ ଏଡିଟିଂ)ରେ ସନ୍ଧ୍ୟା ନାୟକ, ଏମ୍ ଫାର୍ମାରେ ହିତେଶ କୁମାର ଧଳ, ଏମ୍ ଆର୍କିଟେକ୍ରେ ଅସ୍ମିତା ସୁବୁଦ୍ଧି, ଏମ୍ ପ୍ଲାନରେ ଉର୍ମିକାନ୍ତ ମାନିନନ୍ଦନ ସାହୁ ଟପର୍ ହୋଇଛନ୍ତି।
ଏଲ୍ଟି-ଟେକ୍ (ଡିପ୍ଲୋମା)ରେ ସର୍ବାଧିକ ୧୮,୩୯୮ ଜଣଙ୍କୁ ରୢାଙ୍କ
ଏମ୍.ଟେକ୍ ପାଠ୍ୟକ୍ରମର ସିଭିଲ୍ ଇଞ୍ଜିନିୟରିଂରେ ସୂରଜ କୁମାର ଦାଶ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ମନ୍ମଥ ବେହେରା, ମେକାନିକାଲ୍ ଇଞ୍ଜିନିୟରିଂରେ ଶୁଭଙ୍କର ଜେଠୀ, କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ/ଆଇଟିରେ ପ୍ରାଚୀ ପ୍ରଜ୍ଞା, ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମ୍ୟୁନିକେସନ୍ ଇଞ୍ଜିନିୟରିଂରେ କୃଷ୍ଣଚନ୍ଦ୍ର ନାୟକ, କେମିକାଲ୍ ଇଞ୍ଜିନିୟରିଂରେ ଜିତୁ ପାତ୍ର, ମେଟାଲ୍ଲୁଜିକାଲ ଇଞ୍ଜିନିୟରିଂରେ ତ୍ରିଲୋଚନ ପ୍ରଧାନ, ଏନ୍ଭର୍ଣ୍ଣମେଣ୍ଟାଲ ଇଞ୍ଜିନିୟରିଂରେ ଅଶ୍ବିନୀ କୁମାର ପାଣିଗ୍ରାହୀ, ବାୟୋଟେକ୍ନୋଲୋଜିରେ ଦେବପ୍ରିୟ ପାଲ୍, ପ୍ଲାଷ୍ଟିକ୍ ଇଞ୍ଜିନିୟରିଂରେ ସରବଜିତ୍ ଦାସ, ଟେକ୍ସଟାଇଲ୍ ଇଞ୍ଜିନିୟରିଂରେ ମନିଷା ରାଉଳ ଶୀର୍ଷ ସ୍ଥାନରେ ରହିଛନ୍ତି। ଏସ୍ସିଟିଇ ଆଣ୍ଡ୍ ଭିଟି ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ପରୀକ୍ଷା ଫଳ ଘୋଷଣା ସହ କୃତୀ ପରୀକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଭଳି ପରିଶ୍ରମ ଓ ଅଧ୍ୟବସାୟକୁ ଅବ୍ୟାହତ ରଖି ଆଗାମୀ ଜୀବନରେ ସଫଳତା ହାସଲ କରିବା ସହିତ ଓଡ଼ିଶାର ସୁନାମକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଧିକରୁ ଅଧିକ ଋଦ୍ଧିମନ୍ତ କରିବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବୈଷୟିକ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶକ ସମର୍ଥ ବର୍ମା, ବିଭାଗୀୟ ଅତିରିକ୍ତ ଶାସନ ସଚିବ ସୁକାନ୍ତ କୁମାର ପ୍ରଧାନ, ଓଜେଇଇ ଅଧ୍ୟକ୍ଷ ଦେବ ପ୍ରକାଶ ଶତପଥୀ, ସମ୍ପାଦକ ରଞ୍ଜନ କୁମାର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ ଯେ ସମସ୍ତ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା କମ୍ପ୍ୟୁଟର ଆଧାରିତ(ସିବିଟି) ହୋଇଥିଲା। ଚଳିତ ବର୍ଷ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ସହ ରାଜ୍ୟ ବାହାରେ କୋଲକାତା, ପାଟନା ଓ ରାଞ୍ଚିରେ ମୋଟ ୭୦ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା।