କରୋନା କଟକଣାରେ ଓଜେଇଇ ଆରମ୍ଭ, ପରୀକ୍ଷା ଦେଲେ ୧୬,୨୭୦

ଭୁବନେଶ୍ବର : କୋଭିଡ୍‌ କଟକଣା ମଧ୍ୟରେ ସୋମବାରଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଆରମ୍ଭ ହୋଇଛି। ପ୍ରଥମ ଦିନ ତିନୋଟି ସିଟିଂରେ ଲାଟେରାଲ ଏଣ୍ଟ୍ରି ଟେକ୍ନୋଲୋଜି(ଡିପ୍ଲୋମା) ପରୀକ୍ଷା ସୁରୁଖୁରୁରେ ସରିଛି। ରାଜ୍ୟ ଭିତରେ ୬୧ଟି ଓ ବାହାରେ ୪ଟି ପରୀକ୍ଷା କେନ୍ଦ୍ରରେ ୧୬ହଜାର ୨୭୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏହି ବିଷୟ ଲାଗି ମୋଟ ୧୯ହଜାର ୧୫୦ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୮୮୦ଜଣ ଅନୁପସ୍ଥିତ ଥିଲେ। ଆଜି ପରୀକ୍ଷାର୍ଥୀଙ୍କ ଉପସ୍ଥାନ ୮୫% ରହିଥିବା ନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ୍‌ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ପରୀକ୍ଷାର୍ଥୀଙ୍କ ଲାଗି ମାସ୍କ ପରିଧାନ ବାଧ୍ୟତାମୂଳକ ହୋଇଛି। ଏଥିସହ ସାନିଟାଇଜର୍‌ ବ୍ୟବହାର ଉପରେ ପ୍ରାଥମିକତା ଦିଆଯାଇଥିବା ଆଜି ଦେଖିବାକୁ ମିଳିଥିଲା। ପ୍ରବେଶ ଓ ପ୍ରସ୍ଥାନ ସମୟରେ ପରୀକ୍ଷାର୍ଥୀ ଯେପରି ପରସ୍ପର ମଧ୍ୟରେ ଦୂରତା ରକ୍ଷା କରିବେ, ସେ ଦିଗରେ ପରୀକ୍ଷା କେନ୍ଦ୍ର ପକ୍ଷରୁ ସ୍ବତନ୍ତ୍ର ଗୁରୁତ୍ବ ପ୍ରଦାନ କରାଯାଇଥିଲା। କର୍ମଚାରୀମାନେ ମାଇକ୍‌ ଯୋଗେ ସାମାଜିକ ଦୂରତା ରକ୍ଷା କରିବାକୁ ବାରମ୍ବାର ଅନୁରୋଧ କରିଥିଲେ। ପରୀକ୍ଷାକୁ ଯିବା ସମୟରେ ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ଡ୍ରପ୍‌ବକ୍ସରେ ପକାଇବା ସହ ବିଶୋଧନ ହୋଇଥିଲା। ମଙ୍ଗଳବାର ପ୍ରଥମ ଓ ଦ୍ବିତୀୟ ସିଫ୍ଟରେ ଏମ୍‌ସିଏ/ଏସ୍‌ଏସ୍‌ସି(କମ୍ପ୍ୟୁଟର ସାଇନ୍ସ), ତୃତୀୟ ସିଫ୍ଟରେ ଏମ୍‌.ଟେକ୍‌, ଏମ୍‌.ଆର୍କିଟେକ୍‌, ଏମ୍‌.ପ୍ଲାନ, ଏମ୍‌.ଫାର୍ମା, ବି.କାଟ୍‌ ପରୀକ୍ଷା ରହିଛି।

ସମ୍ବନ୍ଧିତ ଖବର