ଭୁବନେଶ୍ବର : ଇଞ୍ଜିନିୟରିଂ ସମେତ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଜେଇ) ଆରମ୍ଭ ହୋଇଛି। ରାଜ୍ୟର ୩୦ଟି ଜିଲ୍ଲା ସମେତ କଲିକତା, ରାଞ୍ଚି ଓ ପାଟଣାରେ କରାଯାଇଥିବା ୫୭ଟି ପରୀକ୍ଷା କେନ୍ଦ୍ରରେ କମ୍ପ୍ୟୁଟର ବେସ୍ଡ ଟେଷ୍ଟ(ସିବିଟି) ମାଧ୍ୟମରେ ପରୀକ୍ଷା କରାଯାଉଛି। ପ୍ରଥମ ଦିନ ୩ଟି ସିଟିଂରେ କେବଳ ବି.ଫାର୍ମା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ବି.ଫାର୍ମା ପାଇଁ ୧୩ ହଜାର ୨୦୦ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ଏକ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ସୂଚନା ମିଳିଛି।
ଚଳିତ ବର୍ଷ ଓଜେଇଇ ଲାଗି ୫୫ ହଜାର ୫୦୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ୭ରୁ ୯ ତାରିଖ ପର୍ଯ୍ୟନ୍ତ ଲାଟେରାଲ ଏଣ୍ଟ୍ରି ଟେକ୍ନୋଲୋଜି(ଡିପ୍ଲୋମା) ପରୀକ୍ଷା ହେବାକୁ ଥିବା ବେଳେ ୭ ତାରିଖରେ ଇଣ୍ଟିଗ୍ରେଟେଡ୍ ଏମ୍ବିଏ, ୮ ତାରିଖରେ ଏମ୍ ଫାର୍ମା, ଲାଟେରାଲ ଏଣ୍ଟ୍ରି ଫାର୍ମା, ଲାଟେରାଲ ଏଣ୍ଟ୍ରି ଟେକ୍ନୋଲୋଜି(ବିଏସ୍ସି) ପରୀକ୍ଷା କରାଯିବ। ୯ ତାରିଖରେ ଏମ୍ଟେକ୍(୧୧ ବିଷୟ), ଏମ୍ ଆର୍କିଟେକ୍ ଓ ଏମ୍ ପ୍ଲାନ, ୧୫ ତାରିଖରେ ଏମ୍ବିଏ, ୧୬ ତାରିଖରେ ବି.ଟେକ୍ ଓ ୧୮ରେ ଏମ୍ସିଏ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।