ଭୁବନେଶ୍ବର : ସୋମବାରଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଆରମ୍ଭ ହେବ। ୫ ଦିନ ଧରି ଚାଲିବାକୁ ଥିବା ଏହି ପରୀକ୍ଷା ୩ଟି ସିଫ୍ଟରେ କମ୍ପ୍ୟୁଟର ବେସ୍ଡ ଟେଷ୍ଟ(ସିବିଟି) ମାଧ୍ୟମରେ କରାଯିବ। ପ୍ରଥମ ସିଫ୍ଟ ପରୀକ୍ଷା ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଦ୍ବିତୀୟ ସିଫ୍ଟ ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୨ଟା ୩୦, ତୃତୀୟ ସିଫ୍ଟ ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ଅନୁଷ୍ଠିତ ହେବ। ପ୍ରଥମ ଦିନ ତିନୋଟି ଯାକ ସିଫ୍ଟରେ କେବଳ ଲାଟେରାଲ ଏଣ୍ଟ୍ରି ଟେକ୍ନୋଲୋଜି(ଡିପ୍ଲୋମା) ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାଜ୍ୟର ୩୦ଟି ଜିଲ୍ଲାରେ ୬୧ଟି ଏବଂ ରାଜ୍ୟ ବାହାରେ ୪ଟି ପରୀକ୍ଷା କେନ୍ଦ୍ର ହୋଇଛି। କରୋନା କଟକଣା ମଧ୍ୟରେ ଚଳିତ ବର୍ଷର ଓଜେଇଇ କରାଯିବ। ପରୀକ୍ଷାର୍ଥୀଙ୍କ ଲାଗି ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ଏଥିସହ ସାନିଟାଇଜର ବ୍ୟବହାର ଉପରେ ପ୍ରାଥମିକତା ଦିଆଯିବ। ପରୀକ୍ଷା ପୂର୍ବ ଦିନ ସମସ୍ତ ପରୀକ୍ଷା କେନ୍ଦ୍ରକୁ ବିଶୋଧନ କରାଯାଇଛି। ପ୍ରବେଶ ଓ ପ୍ରସ୍ଥାନ ପଥରେ ପରୀକ୍ଷାର୍ଥୀ ଯେପରି ପରସ୍ପର ମଧ୍ୟରେ ଦୂରତା ରକ୍ଷା କରିବେ ସେଥିପ୍ରତି ମଧ୍ୟ ଗୁରୁତ୍ବ ଦେବାକୁ ସମସ୍ତ କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କୁ କୁହାଯାଇଛି। ପରୀକ୍ଷାକୁ ଯିବା ସମୟରେ ପରୀକ୍ଷାର୍ଥୀ ଆଡମିଟ୍ କାର୍ଡ ଡ୍ରପ୍ବକ୍ସରେ ପକାଇବାକୁ କୁହାଯାଇଛି। ସମ୍ପୂର୍ଣ୍ଣ ପରୀକ୍ଷାକୁ କରୋନା ମୁକ୍ତ କରିବାକୁ ପ୍ରୟାସ ହୋଇଥିବା ନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି।
ସୂଚନାଯୋଗ୍ୟ ଯେ ଏଥର ୫୮ ହଜାର ଛାତ୍ରଛାତ୍ରୀ ଓଜେଇଇ ଦେବା ଲାଗି ପଞ୍ଜୀକରଣ କରିଛନ୍ତି। ୫ ତାରିଖରେ ପ୍ରଥମ ଓ ଦ୍ବିତୀୟ ସିଫ୍ଟରେ ଏମ୍ସିଏ/ଏସ୍ଏସ୍ସି(କମ୍ପ୍ୟୁଟର ସାଇନ୍ସ), ତୃତୀୟ ସିଫ୍ଟରେ ଏମ୍.ଟେକ୍, ଏମ୍.ଆର୍କିଟେକ୍, ଏମ୍.ପ୍ଲାନ, ଏମ୍.ଫାର୍ମା, ବି.କାଟ୍ ପରୀକ୍ଷା ରହିଛି। ୬ ତାରିଖରେ ପ୍ରଥମ ଓ ଦ୍ବିତୀୟ ସିଫ୍ଟରେ ଏମ୍ବିଏ ଓ ତୃତୀୟ ସିଫ୍ଟରେ ଲାଟେରାଲ ଏଣ୍ଟ୍ରି ଫାର୍ମା, ଲାଟେରାଲ ଏଣ୍ଟ୍ରି(ବିଏସ୍ସି) ଓ ବି.କାଟ୍(ଫିଲ୍ମ ଏଡିଟିଂ) ବିଷୟ ପାଇଁ ପରୀକ୍ଷା କରାଯିବ। ୭ ତାରିଖରେ ପ୍ରଥମ ସିଟିଂରେ ହିଁ କେବଳ ଇଣ୍ଟିଗ୍ରେଟେଡ୍ ଏମ୍ବିଏ ଓ ଲାଟେରାଲ ଏଣ୍ଟ୍ରି ଟେକ୍ନୋଲୋଜି(ଡିପ୍ଲୋମା) ବିଷୟର ପରୀକ୍ଷା ରହିଛି। ୮ ତାରିଖରେ ୩ଟି ଯାକ ସିଫ୍ଟରେ ବି.ଫାର୍ମା ବିଷୟରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ହେବ।