ଓଡ଼ିଶା ବାହା‌ରେ ବି ହେବ ଓଜେଇଇ

ରାଜ୍ୟ ଭିତରେ ୨୧ ଓ ବାହାରେ ୩ ସହରରେ ପରୀକ୍ଷା କେନ୍ଦ୍ର
୧୩ରୁ ୧୬ ତାରିଖ ମଧ୍ୟରେ ପରୀକ୍ଷା କେନ୍ଦ୍ର ବଦଳାଇ ହେବ

ଭୁବନେଶ୍ୱର : ସେପ୍ଟେମ୍ବର ୯ରୁ ୧୫ତାରିଖ ମଧ୍ୟରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) କରାଇବାକୁ କର୍ତୃପକ୍ଷ ଯୋଜନା ପ୍ରସ୍ତୁତ କରିଛନ୍ତି। ବିଧିବଦ୍ଧ ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ ପରୀକ୍ଷା ଲାଗି ପ୍ରସ୍ତୁତି ଜାରି ରହିଛି। ସରକାରୀ ଆଇଟିଆଇ ଓ ପଲିଟେକ୍‌ନିକ୍‌ରେ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ନିଆଯିବା ସହ ଭିତ୍ତିଭୂମି ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି। ‌ଅନ୍ୟପକ୍ଷରେ ଓଜେଇଇ ଲାଗି ଆଜି ଚୂଡ଼ାନ୍ତ ପରୀକ୍ଷା କେନ୍ଦ୍ର ତାଲିକା ପ୍ରସ୍ତୁତ ହୋଇଛି। ରାଜ୍ୟର ୨୧ଟି ଓ ରାଜ୍ୟ ବ‌ାହାରର ୩ଟି ସହରରେ ପରୀକ୍ଷା କେନ୍ଦ୍ର କରାଯିବ। ପୂର୍ବରୁ ୧୫ଟିରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଛାତ୍ରଛାତ୍ରୀଙ୍କ ସୁବିଧାକୁ ନଜରରେ ରଖି ଆଜି ଆଉ ୬ଟି ନୂଆ ସହର ସ‌ମେତ ରାଜ୍ୟ ବାହାରେ ପରୀକ୍ଷା କେନ୍ଦ୍ର କରିବାକୁ ସ୍ଥିର ହୋଇଛି।

ପୂର୍ବରୁ ଅନୁଗୁଳ, ବାଲେଶ୍ବର, ବରଗଡ଼, ବାରିପଦା, ବ୍ରହ୍ମପୁର, ଭଦ୍ରକ, ଭୁବନେଶ୍ବର, କଟକ, ଢେଙ୍କାନାଳ, ଜୟପୁର, ଝାରସୁଗୁଡ଼ା, କେନ୍ଦୁଝର, ରାୟଗଡ଼ା, ରାଉରକେଲା, ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ହୋଇଥିଲା। ଏବେ ବଲାଙ୍ଗୀର, ପାରଳାଖେମୁଣ୍ଡି(ଗଜପତି), ଜଗତ୍‌ସିଂହପୁର, ଯାଜପୁର, ନୟାଗଡ଼, ଫୁଲବାଣୀ(କନ୍ଧମାଳ) ସହରରେ ବି ପରୀକ୍ଷା କେନ୍ଦ୍ର କରାଯିବ। ସେହିପରି ରାଜ୍ୟ ବାହାରେ ବିହାରର ପାଟଣା, ଝାଡ଼ଖଣ୍ଡର ରାଞ୍ଚି ଓ ପଶ୍ଚିମବଙ୍ଗର କୋଲକାତା ସହରରେ ପରୀକ୍ଷା କେନ୍ଦ୍ର କରିବାକୁ ଓଜେଇଇ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଯଦି କୌଣସି ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାକୁ ଚାହୁଥିବେ, ସେମାନେ ଅଗଷ୍ଟ ୧୩ରୁ ୧୬ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ ପୋର୍ଟାଲରେ ଆବେଦନ କରିପାରିବେ।

ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି, କୋଭିଡ୍‌-୧୯ ସମୟରେ ଛାତ୍ରଛାତ୍ରୀ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାହାକୁ ଦୃଷ୍ଟିରେ ରଖି ଅଧିକ ସହରରେ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ନିଆଯାଇଛି। ଓଜେଇଇରୁ ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ବାଦ୍‌ ପଡ଼ିବା ପରେ ପ୍ରଥମଥର ଲାଗି ଓଡ଼ିଶା ବାହାରେ ପରୀକ୍ଷା କେନ୍ଦ୍ର କରାଯାଉଛି। ପ୍ରାୟ ୬ ବର୍ଷ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା ତାରିଖ ‌ସମ୍ପର୍କରେ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ।

ସମ୍ବନ୍ଧିତ ଖବର