ଆଉ ୧୨ ସହରରେ ହେବ ଓଜେଇଇ, ୩୦ ଯାଏ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ଅକ୍ଟୋବର ୩ରେ ଜେଇଇ ଆଡଭାନ୍ସଡ୍‌

ଭୁବନେଶ୍ବର : କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଜେଇଇ (ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବାକୁ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା‌ରେ ୯ଟି ଓ ରାଜ୍ୟ ବାହାରେ ୩ଟି ନୂଆ ସ୍ଥାନରେ ପରୀକ୍ଷା କରିବାକୁ ସ୍ଥିର ହୋଇଛି। ଓଡ଼ିଶା ଭିତରେ ନୂଆ କରି ହେବାକୁ ଥିବା କେନ୍ଦ୍ରଗୁଡ଼ିକ ହେଲା କେନ୍ଦ୍ରାପଡ଼ା, ଭବାନୀପାଟଣା, ବୌଦ୍ଧ, ଦେବଗଡ଼, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ପୁରୀ ଓ ସୋନପୁର। ଏହାଦ୍ବାରା ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଏବର୍ଷ ଓଜେଇଇ ଅନୁଷ୍ଠିତ ହେବ। ରାଜ୍ୟ ବାହାରେ ପାଟଣା, ରାଞ୍ଚି ଓ କୋଲକାତାରେ ପରୀକ୍ଷା କେନ୍ଦ୍ର ହେବ ବୋଲି ଓଜେଇଇ କର୍ତୃପକ୍ଷ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆବେଦନ ସମୟ ସୀମାକୁ ଜୁଲାଇ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀ ଏହି ସମୟ ମଧ୍ୟରେ ଆବେଦନ କରିବା ସହ ଅଗଷ୍ଟ ୨ ସୁଦ୍ଧା ଫି’ ଦାଖଲ କରିପାରିବେ। ଯେଉଁ ଛାତ୍ରଛାତ୍ରୀ ସଫଳତାର ସହ ଆବେଦନ କରିସାରିଛନ୍ତି ସେମାନେ ଓଜେଇଇ ଅନ୍‌ଲାଇନ୍‌ ଆପ୍ଲିକେସନ ପୋର୍ଟାଲକୁ ଯାଇ ତାଙ୍କ ଆଇଡି ଓ ପାସ୍‌ୱାର୍ଡ ବ୍ୟବହାର କରି କୌଣସି ପ୍ରକାର ତ୍ରୁଟି ସଂଶୋଧନ କରିପାରିବେ। ଏଥିସହ ନିଜର ସୁବିଧା ଅନୁଯାୟୀ ପରୀକ୍ଷା କେନ୍ଦ୍ର ପରିବର୍ତନ କରିପାରିବେ।

ଅକ୍ଟୋବର ୩ରେ ଜେଇଇ ଆଡଭାନ୍ସଡ୍‌
ଭୁବନେଶ୍ବର : ଆଇଆଇଟିଗୁଡ଼ିକରେ ନାମଲେଖା ଲାଗି ଅକ୍ଟୋବର ୩ରେ ଜେଇଇ ଆଡଭାନ୍ସଡ୍‌ ଅନୁଷ୍ଠିତ ହେବ। କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁଯାୟୀ ପରୀକ୍ଷା ପରିଚାଳନା କରାଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଟୁଇଟ୍ କରି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ ଜେଇଇ ମେନ୍‌ରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଥିବା ଦୁଇ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ଦେବା ଲାଗି ଯୋଗ୍ୟ ବିବେଚିତ ହୋଇଥାନ୍ତି। ଏଥର ୪ଟି ପର୍ଯ୍ୟାୟରେ ଜେଇଇ ମେନ୍‌ ଅନୁଷ୍ଠିତ ହେଉଛି। ବର୍ତମାନ ସମୟରେ ତୃତୀୟ ପର୍ଯ୍ୟାୟ ଜେଇଇ ମେନ୍‌ ଅନୁଷ୍ଠିତ ହେଉଥିବା ବେଳେ ଅଗଷ୍ଟ ଓ ସେପ୍ଟେମ୍ବରରେ ଚୂଡ଼ାନ୍ତ ତଥା ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍‌ ହେବ। ୪ଟି ପର୍ଯ୍ୟାୟର ଜେଇଇ ମେନ୍‌ର କୃତୀ ଛାତ୍ରଛାତ୍ରୀଙ୍କ ରୢାଙ୍କକୁ ଆଧାର କରି ‌ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ସେଥିମଧ୍ୟରୁ ୨ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ଲାଗି ଯୋଗ୍ୟ ବିବେଚିତ ହେବେ।

ସମ୍ବନ୍ଧିତ ଖବର