ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ବାଚସ୍ପତି ନିର୍ବାଚନ  

ଭୁବନେଶ୍ୱର: ଆସନ୍ତାକାଲି ପୂର୍ବାହ୍ନ ୧୧ଟା ସମୟରେ ରାଜ୍ୟ ବିଧାନସଭାର ବାଚସ୍ପତି ନିର୍ବାଚନ ହେବ। ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ଭାବେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।

ଆସନ୍ତାକାଲି ସ୍ୱତନ୍ତ୍ର ଅଧିବେଶନ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ତଥା ଗୃହର ନେତା ନବୀନ ପଟ୍ଟନାୟକ ଶ୍ରୀ ପାତ୍ରଙ୍କୁ ବାଚସ୍ପତି ରୂପେ ନିର୍ବାଚିତ କରିବାକୁ ଏକ ପ୍ରସ୍ତାବ ଆଗତ କରିବେ। ସେହି ପ୍ରସ୍ତାବକୁ ସମର୍ଥନ କରିବେ  ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଆଜି ଏ ସଂକ୍ରାନ୍ତରେ ବିଧାନସଭା କାର୍ଯ୍ୟାଳୟ ପକ୍ଷରୁ ଏକ ନୋଟିସ ଜାରୀ କରାଯାଇଛି।

୧୪୭ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜୁ ଜନତା ଦଳ ୧୧୨ଟି ଆସନ ପାଇ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ଶ୍ରୀ ପାତ୍ର ବାଚସ୍ପତି ରୂପେ ନିର୍ବାଚିତ ହେବା ନିଶ୍ଚିତ ହୋଇଯାଇଛି।

କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ ନବ ନିର୍ବାଚିତ ବିଧାୟକମାନଙ୍କୁ ଗତ ଦୁଇ ଦିନ ହେଲା ଶପଥ ପାଠ କରାଇଛନ୍ତି। ଆସନ୍ତାକାଲି ବାଚସ୍ପତି ନିର୍ବାଚନ ମଧ୍ୟ ସେ ପରିଚାଳନା କରିବେ।

ସମ୍ବନ୍ଧିତ ଖବର