ଚଣ୍ଡିଖୋଲ : ରାଜ୍ୟର ପ୍ରମୁଖ ଧର୍ମ ଓ ସଂସ୍କୃତି ପୀଠ ଯାଜପୁରର ଓଳାଶୁଣୀ ଗୁମ୍ଫା ଠାରେ ସନ୍ଥ ସାଧକ ଅରକ୍ଷିତ ଦାସଙ୍କ ୧୮୧ତମ ମହାପ୍ରୟାଣ ତିଥିରେ ଆୟୋଜିତ ପଞ୍ଚମ ଓଳାଶୁଣୀ ଗୁମ୍ଫା ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି।
ଓଳାଶୁଣୀ ଗୁମ୍ଫା ଉନ୍ନୟନ ନ୍ୟାସ ଓ ସନ୍ଥ ଅରକ୍ଷିତ ଦାସ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସରକାରୀ ମୁଖ୍ୟ ସଚେତକ ତଥା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଶ୍ରୀ ଶତପଥୀ କହିଥିଲେ ଯେ, ସନ୍ଥ ଅରକ୍ଷିତଙ୍କ ଜୀବନ ଦର୍ଶନରେ ଥିଲା ସମଦୃଷ୍ଟିର ଚିନ୍ତନ। ସେ ଥିଲେ ସାମାଜିକ ସଂସ୍କାର ବ୍ୟବସ୍ଥାର ଏକ ଅନୁପମ ବ୍ୟକ୍ତିତ୍ଵ। ନ୍ୟାସର ଅଧ୍ୟକ୍ଷ ଶରତ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉତ୍ସବରେ ଚଳିତବର୍ଷ ବିଶିଷ୍ଟ ଆଧ୍ୟାତ୍ମିକ ସାଧକ ଗୋଠଦା ମଠାଧୀଶ ଚିନ୍ତାମଣି ପର୍ବତ ଗୋସ୍ୱାମୀଙ୍କୁ ‘ଓଳାଶୁଣୀ ସମ୍ମାନ’ ଓ ବିଶିଷ୍ଟ ସଂସ୍କୃତ କବି ପଣ୍ଡିତ ପ୍ରବୋଧ କୁମାର ମିଶ୍ରଙ୍କୁ ‘ସନ୍ଥ ଅରକ୍ଷିତ ଦାସ ସମ୍ମାନ’ ରେ ସମ୍ମାନିତ କରାଯାଇଥିଲା।
ସତ୍ୟସାଇ ସେବା ସମିତି ପଲାଇର ସ୍ମୃତିରଂଜନ ନାୟକ ଓ ପ୍ରଭାତ କୁମାର ନନ୍ଦ ବେଦପାଠ କରିଥିଲେ। ନ୍ୟାସର ସଦସ୍ୟ ଶ୍ରୀକାନ୍ତ କୁମାର ସାମଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ବାର୍ତା ସାମ୍ବାଦିକ ସୁମନ୍ତ କୁମାର ଭୂୟାଁ ପାଠ କରିଥିଲେ। ଦେବଦତ୍ତ ସାମଲ ସମ୍ବର୍ଧିତ ପ୍ରତିଭାଙ୍କ ମାନପତ୍ର ପାଠ କରିଥିଲେ। ଆଇନ୍ଜୀବୀ ଦେବରାଜ ବେହେରା, ଭରତପୁର ସରପଞ୍ଚ ସରସ୍ୱତୀ ବେହେରା ଓ ନ୍ୟାସର ମ୍ୟାନେଜିଂ ଟ୍ରଷ୍ଟି ଶୁଭେନ୍ଦୁ କୁମାର ଭୂୟାଁ ମହୋତ୍ସବ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/CKL-Olasuni-Mahosta.jpg)