୮ ମାସ ହେଲା ମିଳୁନି ବାର୍ଦ୍ଧକ୍ୟ ଭତ୍ତା, ଜିଲ୍ଲାପାଳଙ୍କ ନିକଟରେ ଗୁହାରି

ବାଲିକୁଦା : ବଡ଼ଚଣା ବ୍ଲକ୍‌ ମଝିପଡ଼ା ପଞ୍ଚାୟତରେ ବହୁ ବୃଦ୍ଧବୃଦ୍ଧା ଭତ୍ତା ହିତାଧିକାରୀ ୮ ମାସ ହେଲା ଭତ୍ତାରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି। ପଞ୍ଚାୟତକୁ ଯାଇ ଆଧାର କାର୍ଡ, ବ୍ୟାଙ୍କ ପାସ୍‌ବୁକ୍‌ ଦେଇଥିଲେ ମଧ୍ୟ ସେମାନଙ୍କୁ ଭତ୍ତା ମିଳୁନାହିଁ। ଫଳରେ ଏହି ହିତାଧିକାରୀମାନେ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଏହି ପଞ୍ଚାୟତ ମଝିପଡ଼ା ଗ୍ରାମର ଗଦାଧର ବଳ, ମୁକୁତା ବଳ, ଗିରିଧାରୀ ବଳ, କମଳା ବଳ, ରମଣୀ ବଳ, ଘନଶ୍ୟାମ ବଳ ପ୍ରମୁଖ ଗତ ଏପ୍ରିଲ ମାସରୁ ଭତ୍ତା ପାଇନାହାନ୍ତି। ପଞ୍ଚାୟତ କାର୍ଯ୍ୟାଳୟରେ ପିଇଓଙ୍କୁ ନିଜର ଆଧାର କାର୍ଡ ଓ ବ୍ୟାଙ୍କ ପାସବୁକ୍‌ ଇତ୍ୟାଦି ଦେଇଥିଲେ ବି ବ୍ୟାଙ୍କ ଆକାଉଣ୍ଟକୁ ଭତ୍ତା ଅର୍ଥ ଆସୁନାହିଁ। ସେମାନଙ୍କୁ ସିଧାସଳଖ ମଧ୍ୟ ଭତ୍ତା ରାଶି ପ୍ରଦାନ କରାଯାଉନାହିଁ। ଏହି ହିତାଧିକାରୀଙ୍କ ମଧ୍ୟରୁ ଦୁଇଜଣ ଏବେ ଶଯ୍ୟାଶାୟୀ। ମାସକୁମାସ ମିଳୁଥିବା ଭତ୍ତା ଟଙ୍କା ଉପରେ ସମସ୍ତ ହିତାଧିକାରୀ ନିର୍ଭର କରି ଚଳନ୍ତି ବୋଲି କହିଛନ୍ତି। ସମସ୍ତଙ୍କୁ ଗୁହାରି କରି ନିରାଶ ହେବା ପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର