ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଆଜକୁ ଦୁଇ ମାସରୁ ଊର୍ଦ୍ଧ୍ବ ହେବ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ମିଳୁନଥିବାରୁ ବୃଦ୍ଧ, ବୃଦ୍ଧା, ଦିବ୍ୟlଙ୍ଗ ହିତାଧିକାରୀମାନେ ଭତ୍ତା ପାଇବାରୁ ବଞ୍ଚିତ ହେବା ସହ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଗତ ଦିନରେ ଏହି ଭତ୍ତା ଦୁର୍ନୀତି ମାମଲାରେ ଜିଲ୍ଲା ପ୍ରଶାସନ ଚନ୍ଦାହାଣ୍ଡି ବ୍ଲକର ଦୁଇ ଜଣ ବ୍ଲକ କର୍ମଚାରୀ ପ୍ରକାଶ ଢାଲୀ ଓ ଧର୍ମେନ୍ଦ୍ର ସାହୁଙ୍କୁ ଚାକିରିରୁ ବହିଷ୍କାର କରିବାସହ ଉଭୟଙ୍କ ନାମରେ ଚନ୍ଦାହାଣ୍ଡି ଥାନାରେ ଏକ ଫୌଜଦାରୀ ମାମଲା ରୁଜୁ କରାଗଲା କିନ୍ତୁ ଏହି ଦୁର୍ନୀତି ର ମୁଖ୍ୟ ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝୀଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଆଜି ଚନ୍ଦାହାଣ୍ଡି ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

Advertisment

ପ୍ରକାଶ ଯେ ଦୀର୍ଘ ତିନିମାସ ପର୍ଯ୍ୟନ୍ତ ହିତାଧିକାରୀ ଭତ୍ତା ନ ପାଇବାରୁ ଯାଞ୍ଚ ପରେ ହିତାଧିକାରୀଙ୍କ ଭତ୍ତା ଟଙ୍କା ଦାୟିତ୍ଵରେ ଥିବା କର୍ମଚାରୀ ପ୍ରକାଶ ଢାଲି ତାଙ୍କ ନିଜ ଏକାଉଣ୍ଟ୍ କୁ ଟ୍ରାସଫର କରିଥିବା ଓ ଏଥିରେ ଧର୍ମେନ୍ଦ୍ର ସାହୁ ସହଯୋଗ କରିଥିବା ଅଭିଯୋଗରେ ଜିଲ୍ଲାପାଳ ଦୁଇ ଜଣ କର୍ମଚାରୀଙ୍କୁ ଚାକିରିରୁ ବହିସ୍କାର କରିବା ସହ ସମସ୍ତ ଫାଇଲ ଜବତ କରିଥିଲେ। ଏଥିପାଇଁ ବ୍ଲକ ର ୧୪ ଟି ପଞ୍ଚ୍ୟାୟତର ହିତାଧିକାରୀମାନେ ଭତ୍ତା ପାଇବାରୁ ବଞ୍ଚିତ ହୋଇ ପ୍ରତ୍ୟେକ ଦିନ ବ୍ୟାଙ୍କକୁ ଆସି ନିରାଶ ହୋଇ ଫେରୁଛନ୍ତି। ଚନ୍ଦାହାଣ୍ଡି ବିଜେପି ତରଫରୁ ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନ ବିରୁଦ୍ଧରେ ବର୍ଷିବା ସହ ସ୍ଥାନୀୟ ବିଧାୟକ ଓ ସାଂସଦ ଏଥିରେ ପ୍ରତ୍ୟକ୍ଷ ଭାବରେ ସାମିଲ ଥିବା କହିଥିଲେ। ବିଡ଼ିଓ ଏହି ଦୁର୍ନୀତିର ମୁଖ୍ୟ ସୂତ୍ରଧର ହୋଇଥିବା ବେଳେ ସେ ମନରେଗା, ୫ ଟି, ପ୍ରଧାନମନ୍ତ୍ରୀ ଆବାସ ଗୃହ, ପାଇଖାନା ଦୁର୍ନୀତିରେ ସାମିଲ ଥିବା କହିଥିଲେ।

ବିଡ଼ିଓଙ୍କ ବିନା ଅଗୋଚର ରେ ଏହି ଦୁର୍ନୀତି କିପରି ହେଲା ବୋଲି କହିବା ସହ ଦୁଇ ଦିନ ଭିତରେ ଯଦି ହିତାଧିକାରୀମାନେ ଭତ୍ତା ନ ପାଇଲେ ବିଜେପି ତରଫରୁ ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଥିଲେ। ଆଜିର ସାମ୍ବାଦିକ ସମ୍ମିଳନୀରେ ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ କୁମାର ଜୈନ, ଚନ୍ଦାହାଣ୍ଡି ମଣ୍ଡଳ ସଭାପତି ପ୍ରତାପ ଚନ୍ଦ୍ର ବାଘ, ମାଲଗାଁ ମଣ୍ଡଳ ସଭାପତି ଡମ୍ବରୁଧର ମାଝୀ, ଯୁବ ନେତା ଭୋଦେବ ବାଘ, ଲାଲମୋହନ ଧୁରୁଆ, ମାନସିଂ ଚୌହାନ, ମୁରଲୀ ପୋଡ, ଯାଦବ ବଗର୍ତ୍ତୀ, ତିଲଚାନ୍ଦ ବାଘ, ଭୁବନେଶ୍ୱର ସାଗର, ବାବୁଲାଲ ଜଗତ, ଜୟଧର ଚଣ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।