ଭୁବନେଶ୍ୱର: ରାଜ୍ୟରେ ଥିବା ବୟସ୍କ ରୋଗୀମାନଙ୍କୁ ଆଉ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ। ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଜେରିଆଟିକ୍ କ୍ଲିନିକ୍ରେ ସେମାନେ ସ୍ୱତନ୍ତ୍ରଭାବେ ନିଜର ଚିକିତ୍ସା କରିପାରିବେ। ରାଜ୍ୟର ୫ଟି ମହାନଗର ନିଗମରେ ଥିବା ୩୪ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବା ୟୁପିଏଚ୍ସିରେ ଏହି ବ୍ୟବସ୍ଥା ରହିବ। ସପ୍ତାହର ଏକ ନିର୍ଦ୍ଦିଷ୍ଟ ଦିନରେ ହିଁ ଚିକିତ୍ସା ମିଳିବ। ଜାତୀୟ ସ୍ୱାସ୍ଥ୍ୟ ମିସନ ଜରିଆରେ ଏହି ଜେରିଆଟିକ୍ କ୍ଲିନିକ୍ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି।
ବୟସ୍କ ରୋଗୀମାନଙ୍କୁ ଡାକ୍ତରଖାନରେ ଏବେ ସାଧାରଣ ରୋଗୀଙ୍କ ଭଳି ଧାଡ଼ିରେ ଛିଡ଼ା ହୋଇ ଚିକିତ୍ସା କରିବାକୁ ପଡ଼ୁଛି। ତେବେ ବୟସ ଦୃଷ୍ଟିରୁ ଧାଡ଼ିରେ ଛିଡ଼ା ହୋଇ ଚିକିତ୍ସା କରିବା ପାଇଁ ବୟସ୍କଙ୍କ ପାଇଁ ସମସ୍ୟା ହେଉଛି। ତେଣୁ ସେମାନଙ୍କ ପାଇଁ ଜେରିଆଟିକ୍ କ୍ଲିନିକ୍ରେ ବହିର୍ବିଭାଗ ସହିତ ଫିଜିଓଥେରାପିର ସୁବିଧା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଜେରିଆଟିକ୍ କ୍ଲିନିକ୍ରେ ଭେଷଜ ବିଶେଷଜ୍ଞ ସହିତ ଫିଜିଓଥେରାପିଷ୍ଟ ଟେକ୍ନିସିଆନ୍ ରୋଗୀଙ୍କ ଚିକିତ୍ସା କରିବେ। ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାର ୩୪ଟି ୟୁପିଏଚ୍ସିରେ ଏହି ଜେରିଆଟିକ୍ କ୍ଲିନିକ୍ ଖୋଲିବା ପାଇଁ ପ୍ରସ୍ତାବ ରହିଛି। ଭୁବନେଶ୍ୱରରେ ୧୬, କଟକରେ ୭, ସମ୍ବଲପୁରରେ ୮, ରାଉରକେଲାରେ ୨ ଓ ବ୍ରହ୍ମପୁରର ୧ଟି ୟୁପିଏଚ୍ସିରେ ଏହି କ୍ଲିନିକ୍ କାର୍ଯ୍ୟ କରିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ କୌଣସି ବିଲ୍ଡିଂର ନିର୍ମାଣ କରାଯିବ ନାହିଁ। ପୂର୍ବରୁ କାର୍ଯ୍ୟ କରୁଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହା କାର୍ଯ୍ୟ କରିବ।
ସପ୍ତାହକୁ ଥରେ ଭେଷଜ ବିଶେଷଜ୍ଞ ଡାକ୍ତର ଏହି କ୍ଲିନିକ୍ରେ ଚିକିତ୍ସା କରିବେ। ଏଥିପାଇଁ ଡାକ୍ତରଙ୍କୁ ଦିନ ପିଛା ଅଢ଼େଇ ହଜାର ଟଙ୍କା ଦିଆଯିବ। ସେହିପରି କ୍ଲିନିକ୍କୁ ସପ୍ତାହରେ ୩ ଦିନ ଫିଜିଓଥେରାପିଷ୍ଟ ଚିକିତ୍ସା ଯୋଗାଇ ଦେବେ। ଏଥିପାଇଁ ତାଙ୍କୁ ୧ହଜାର ଟଙ୍କା ପାରିଶ୍ରମିକ ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଫିଜିଓଥେରାପି ପାଇଁ ଆବଶ୍ୟକ ଥିବା ମେସିନ୍କୁ ନାସନାଲ ପ୍ରୋଗ୍ରାମ ଫର ହେଲ୍ଥ କେୟାର ଅଫ ଏଲଡର୍ଲି ବା ଏନ୍ପିଏଚ୍ସିଏଇ ଯୋଜନାରେ କିଣାଯିବାକୁ ନିଷ୍ପତ୍ତି ହୋଇଛି। ଏହି ଜେରିଆଟିକ୍ କ୍ଲିନିକ୍ ପାଇଁ ସିଂହ ଭାଗ ଅର୍ଥ କେନ୍ଦ୍ର ସରକାର ଯୋଗାଇ ଦେବେ। ବଳକା ଅଂଶକୁ ରାଜ୍ୟ ସରକାର ବହନ କରିବେ। ୟୁପିଏଚସିରେ ଜେରିଆଟିକ୍ କ୍ଲିନିକ୍ କାର୍ଯ୍ୟକାରୀ ହେଲେ ସହରାଞ୍ଚଳରେ ରହୁଥିବା ବୟସ୍କ ବ୍ୟକ୍ତିମାନେ ଏହାର ଫାଇଦା ନେଇ ପାରିବେ। ପ୍ରଥମ ପର୍ଯ୍ୟାୟରେ ୩୪ଟି ୟୁପିଏଚ୍ସି ବୟସ୍କଙ୍କ ଚିକିତ୍ସା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ପରବର୍ତୀ ସମୟରେ ଏନ୍ୟୁଏଚ୍ଏମ୍ ଜରିଆରେ ଅନ୍ୟ ସହରାଞ୍ଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହାକୁ ଖୋଲାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।