ଭୁବନେଶ୍ବର: ଭାରତ ସମ୍ବନ୍ଧରେ ଧାରଣା ଅଛି ଯେ ଏଠାରେ ବହୁତ ଆଇନ ଅଛି, ହେଲେ ଏହା କମ୍ କାର୍ଯ୍ୟକାରୀ ହୁଏ। ବହୁତ ଆଇନକାନୁନ ଥିଲେ ହେଁ ଅଧିକାଂଶ ଆଉ ପ୍ରାସଙ୍ଗିକ ନୁହେଁ। ତେଣୁ ପ୍ରଧାନମନ୍ତ୍ରୀ ଗତ ୧୦ବର୍ଷରେ ୧୫୫୦ରୁ ଅଧିକ ଆଇନକୁ ରଦ୍ଦ କରିସାରିଛନ୍ତି। ସେହିପରି ଓଡ଼ିଶାରେ ଅନେକ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ ଆଇନକୁ ଚିହ୍ନଟ କରାଯାଇ ରଦ୍ଦ କରାଯିବ। ଏ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଆଜି ଲୋକସେବା ଭବନ କନ୍ଭେନ୍ସନ ସେଣ୍ଟରଠାରେ ଆୟୋଜିତ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ଜାଗୃତୀକରଣ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ନ୍ୟାୟ ବ୍ୟବସ୍ଥାର ମେରୁଦଣ୍ଡ ହେଉଛି ଭାରତୀୟ ସମ୍ବିଧାନ ଏବଂ ନ୍ୟାୟ ସଂହିତା। ଏହି ସଂହିତାକୁ ଆଧାର କରି ଆମ ନ୍ୟାୟ ବ୍ୟବସ୍ଥା ପରିଚାଳିତ ହୋଇଥାଏ। କିନ୍ତୁ ୧୮୬୦ ମସିହାରୁ ବ୍ରିଟିସ ସରକାର ଯେଉଁ ସଂହିତାର ପ୍ରଣୟନ କରିଥିଲେ ତାକୁ ଆମେ ଆଜି ପର୍ଯ୍ୟନ୍ତ ପାଳନ କରୁଥିଲୁ। ଆଜିର ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ଏତେ ପୁରୁଣା ଆଇନ ଉଚିତ ନ୍ୟାୟ ଦେବାରେ ସଂପୂର୍ଣ୍ଣ ରୂପେ କ୍ଷମତାସମ୍ପନ୍ନ ନ ଥିଲା। ତେଣୁ ଏହାର ସମୟୋପଯୋଗୀ ପରିବର୍ତ୍ତନର ଆବଶ୍ୟକତାକୁ ଉପଲବ୍ଧ କରି କେନ୍ଦ୍ର ସରକାର ଏହି ଦୁଇଟି ନୂତନ ଆଇନକୁ ପ୍ରବର୍ତ୍ତନ କଲେ। ପୂର୍ବରୁ ଥିବା ଆଇନ ଅପରାଧୀ-କୈନ୍ଦ୍ରିକ ଥିବାବେଳେ ନୂତନ ଭାବେ ପ୍ରଣିତ ଆଇନକୁ ପୀଡ଼ିତ କୈନ୍ଦ୍ରିକ କରାଯାଇଛି। ଏହି ମୌଳିକ ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ବଚ୍ଛ ପ୍ରକ୍ରିୟାରେ ନିରପେକ୍ଷ ଭାବେ ତ୍ବରିତ ନ୍ୟାୟ ପ୍ରଦାନ କରିବା।
ପୂର୍ବ ସରକାରରେ ଆଇନର ଶାସନ କାର୍ଯ୍ୟକାରୀ କରିବାକୁ ଇଚ୍ଛାଶକ୍ତିର ଅଭାବ ଥିଲା
ପୁରୁଣା ଆଇନ ଅପରାଧୀ-କୈନ୍ଦ୍ରିକ ଥିଲା, ଏବେ ପୀଡ଼ିତ-କୈନ୍ଦ୍ରିକ ହୋଇଛି
ଏହାସହ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାରେ ପୂର୍ବ ସରକାରରେ ଆଇନର ଶାସନ କାର୍ଯ୍ୟକାରୀ କରିବାକୁ ଇଚ୍ଛା ଶକ୍ତିର ଅଭାବ ଥିଲା। ପୂର୍ବ ସରକାର ପ୍ରତିଦିନ ମହିଳା ସଶକ୍ତୀକରଣ କଥା କହୁଥିଲେ। ହେଲେ ମହିଳା ହିଂସା ସମ୍ପର୍କିତ ମକଦ୍ଦମାର ଦଣ୍ଡବିଧାନ ହାର ଏକ ଅଙ୍କ ବିଶିଷ୍ଟ ଥିଲା। ୨୦୨୨ ସୁଦ୍ଧା ଏନ୍ସିଆର୍ବି ତଥ୍ୟ ଅନୁସାରେ ଏହି ହାର କେବଳ ୯.୩% ଥିଲା। ଯାହା ଅତ୍ୟନ୍ତ ଲଜ୍ଜାଜନକ। ଏହା କି ପ୍ରକାର ମହିଳା ସଶକ୍ତୀକରଣ, ବୁଝିବାର ଶକ୍ତି ବାହାରେ। ଓଡ଼ିଶାରେ ଏହି ଲଜ୍ଜାଜନକ ପରିସ୍ଥିତି ପାଇଁ କେବଳ ଦୁଇଟି କାରଣ, ପ୍ରଥମଟି ହେଉଛି ଖାମଖିଆଲି ଢଙ୍ଗରେ ତଦନ୍ତ ଏବଂ ଦ୍ବିତୀୟଟି ହେଉଛି ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଥିଲା। କିନ୍ତୁ ବର୍ତ୍ତମାନ ଏ ସବୁ ଚାଲିବ ନାହିଁ। ରାଜ୍ୟର ବିଭିନ୍ନ ଥାନା ଏବଂ ବିଚାରାଳୟରେ ଲମ୍ବା ସମୟ ଧରି ବିଚାରାଧୀନ ଥିବା ମହିଳା ହିଂସା ସମ୍ବନ୍ଧୀୟ ସବୁ କେସ୍କୁ ତର୍ଜମା କରାଯାଇ ଦଣ୍ଡବିଧାନ କରିବା ପାଇଁ ପଦକ୍ଷେପ ନିଆଯାଉ। କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ, ବ୍ୟବସ୍ଥାର ସରଳୀକରଣ ପାଇଁ ଆଇନରେ ପରିବର୍ତ୍ତନ କରାଯାଇଛି। ତେବେ ସାଧାରଣ ଲୋକ ଯେତେବେଳେ ଆଇନକୁ ବୁଝିପାରିବେ, ସେତେବେଳେ ଆଇନର ଶାସନ ପ୍ରଭାବୀ ହୋଇପାରିବ। ଓଡ଼ିଶାରେ ଗ୍ରାମ୍ୟ ନ୍ୟାୟାଳୟର ବ୍ୟବସ୍ଥା ଆରମ୍ଭ ହୋଇସାରିଛି। ଏହାକୁ ଆହୁରି ଆଗକୁ ନିଆଯିବ। ଏହାଦ୍ୱାରା ଗ୍ରାମ୍ୟସ୍ତରରେ ମଧ୍ୟସ୍ଥତା ଜରିଆରେ ଅନେକ ସମସ୍ୟାର ସମାଧାନ କରାଯାଇପାରିବ ବୋଲି ସେ କହିଥିଲେ।
ମୁଖ୍ୟ ସଚିବ ମନୋଜ ଆହୁଜା କହିଥିଲେ, ନୂଆ ଆଇନ ଲାଗୁ ହେଲା ପରେ କେତେକ ଅପରାଧର ତ୍ୱରିତ ନ୍ୟାୟ ପ୍ରଦାନ ହୋଇପାରିଛି। ପୂର୍ବତନ ସୂଚନା କମିସନର ଜଗଦାନନ୍ଦ କହିଥିଲେ ଯେ, ସମାଜରେ ପରିବର୍ତ୍ତନ ସହିତ ସମାନୁପାତିକ ରୂପରେ ଆଇନର ପରିବର୍ତ୍ତନ ନ ହେଲେ ତାହା ଲୋକାଭିମୁଖୀ ହୋଇପାରିବ ନାହିଁ। ଆଇନଗୁଡ଼ିକୁ ସରଳ ଓଡ଼ିଆ ଭାଷା ସହିତ ବିଭିନ୍ନ ଆଦିବାସୀ ଭାଷାରେ ଅନୁବାଦ କରି ଏହାର ପ୍ରଚାର ପ୍ରସାର କରିବାର ଆବଶ୍ୟକତା ଅଛି ବୋଲି ସେ ମତ ଦେଇଥିଲେ। ଆଇନ ବିଭାଗର ପ୍ରମୁଖ ସଚିବ ମାନସ ରଞ୍ଜନ ବାରିକ ସ୍ୱାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ନାଗରିକ ସମାଜର ପ୍ରତିନିଧି, ମହିଳା ଓ ଶିଶୁ ବିକାଶ କର୍ମୀ, ସୂଚନା ଅଧିକାର କର୍ମୀ, ଯୌନ ଶୋଷଣ ସୁରକ୍ଷା କର୍ମୀ, ଆଇନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।