ପୁରୁଣା ବହି ‌ବେପାରକୁ କରୋନ ମାଡ଼

ବ୍ରହ୍ମପୁର: ରାସ୍ତା କଡ଼ରେ ବେଞ୍ଚ ପଡ଼ିଛି। ଥାକ ଥାକ ହୋଇ ବହି ରହିଛି। ମୁଣ୍ଡରେ ଛାତ ନାହିଁ। ଆରାମରେ ବସି ବିକ୍ରି କରିବା ପାଇଁ ମଧ୍ୟ ଜାଗା ନାହିଁ। ସ୍କୁଲ ଠାରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ବହି ରହିଛି। ଏଥିସହ ‌ଛାତ୍ରଛାତ୍ରୀଙ୍କୁ ସୁହାଇଲା ଭଳି ମଧ୍ୟ ଦର ରହିଛି। ଏଭଳି ଚାଲିଛି ବ୍ରହ୍ମପୁର ସହରରେ ପୁରଣା ବହି ବ୍ୟବସାୟ। ସ୍ଥାନୀୟ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟ ରାସ୍ତା କଡ଼ରେ ଦିନ ସାରା ଚାଲିଥାଏ ବହି ବେପାର। ପୁରଣା ବହିକୁ ବିକ୍ରି କରି ଗୁଜୁରାଣ ମେଣ୍ଟାଇଥାନ୍ତି ବ୍ୟବସାୟୀ।

ରେଶମ ସହରରେ ବିଦ୍ୟାଳୟ ଠାରୁ ଆରମ୍ଭ କରି ବହୁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ରହିଛି। ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ କ‌ୋଣରୁ ଛାତ୍ରଛାତ୍ରୀ ବ୍ରହ୍ମପୁର ସହରର ବିଭିନ୍ନ ଅନୁଷ୍ଠାନରେ ପଢ଼ିବା ପାଇଁ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାଶନ ସଂସ୍ଥା ତରଫରୁ ପାଠ୍ୟ ପୁସ୍ତକ ପ୍ରକାଶ ପାଉଛି। ଏଥିସହ ସହରରେ ୫୦ରୁ ଅଧିକ ବହି ଦ‌ୋକାନ ରହିଛି। ନୂଆ ବହି ବିକ୍ରି କରିବା ପାଇଁ ବହୁ ଦୋକାନ ରହିଥିବା ବେଳେ ପୁରୁଣା ବହି ମଧ୍ୟ ବିକ୍ରି ହେଉଛି। ‌ପାଠପଢ଼ା ସରିବା ପରେ ସେହି ପୁସ୍ତକ ଓ ଗାଇଡ୍‌କୁ କମ୍ ଦରରେ ବହୁ ଛାତ୍ରଛାତ୍ରୀ ବିକ୍ରି କରୁଛନ୍ତି। ସେହି ବହି କିଣି ପୁରଣା ବହି ଦେକାନରେ ବିକ୍ରି କରୁଛନ୍ତି ବ୍ୟବସାୟୀ। ସେଥିରେ ଯାହା ରୋଜଗାର ହୁଏ ସେଥିରେ ଗୁଜୁରାଣ ମେଣ୍ଟାଉଛନ୍ତି ବ୍ୟବସାୟୀ। କିନ୍ତୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବାରୁ ଚଳିତ ବର୍ଷ ବେପାର ନାହିଁ। ବହି କିଣିବା ପାଇଁ ଛାତ୍ରଛାତ୍ରୀ ଆସୁ ନାହାନ୍ତି। ଫଳରେ ରୋଜଗାରକୁ ନେଇ ଚିନ୍ତାରେ ଅଛନ୍ତି ବ୍ୟବସାୟୀ।

ବ୍ୟବସାୟୀ ସନ୍ତୋଷ ମହାପାତ୍ରଙ୍କ କହିବାନୁଯାୟୀ, ଗତ ୭ ବର୍ଷ ଧରି ଏହି ବ୍ୟବସାୟ କରିଆସୁଛି। କ‌ୌଣସି ସ୍ଥାନରେ ଘର ଭଡ଼ା ନେଇ ଦୋକାନ କରିବାକୁ ପାଖରେ ଟଙ୍କା ନଥିବାରୁ ରାସ୍ତା କଡ଼ରେ ହିଁ ବହି ବିକ୍ରି କରୁଛି। ଏବେ ଦିନ ତମାମ୍ ବେପାର କରିଲେ ୫ ଶହ ଟଙ୍କା ବେପାର ହେବା କଷ୍ଟକର ହୋଇପଡ଼ୁଛି। ବ୍ୟବସାୟୀ ମନୋଜ କୁମର ଡ଼ାକୁଆଙ୍କ କହିବାନୁଯାୟୀ, ପୂର୍ବରୁ ବହି ବ୍ୟବସାୟ ଭଲ ହେଉଥିଲା। କିନ୍ତୁ କରୋନା କଟକଣା ଯୋଗୁଁ ପିଲାମାନେ ବହି କିଣୁନାହାନ୍ତି। ବ୍ୟବସାୟୀ ଲକ୍ଷ୍ମୀନାରାୟଣଙ୍କ କହିବାନୁଯାୟୀ, ଏପରି ଅସୁବିଧା ପୂର୍ବରୁ କେବେ ଆସିନଥିଲା। ବ୍ୟବସାୟ ହେଉନଥିବାରୁ ଧାରକରଜ କରି ପରିବାର ଚଳାଇବାକୁ ପଡ଼ୁଛି। ସରକାରଙ୍କ ପକ୍ଷରୁ ସହାୟତା ଦେଲେ ଭଲ ହୁଅନ୍ତା।

ସମ୍ବନ୍ଧିତ ଖବର