ଗଂଜାମରେ ପୁରୁଣା କୋଠା ସାଜିଛି ହକି ଷ୍ଟାଡିୟମ୍ ନିର୍ମାଣରେ ବାଧକ 

ଛତ୍ରପୁର : ଚାହୁଁ ଚାହୁଁ ପାଖାପାଖି ଏକବର୍ଷରୁ ଅଧିକ ସମୟ ବିତିଗଲା। ହେଲେ ଛତ୍ରପୁରରେ ପ୍ରସ୍ତାବିତ ଅତ୍ୟାଧୁନିକ ହକି ଆଷ୍ଟ୍ରୋଟର୍ଫ ନିର୍ମାଣ କାମ ଆରମ୍ଭ ହେବା ତ ଦୂରର କଥା, ମାଟି ମୁଠେ ବି ପଡ଼ିପାରିନି।  କାରଣ ହେଉଛି, ଚିହ୍ନଟ ହୋଇଥିବା ଜମିରେ ଗଞ୍ଜାମ ପୁଲିସର ଏକ ପୁରୁଣା କୋଠା ସେଠାରୁ ଏଯାବତ୍ ହଟିପାରୁନି। ଯାହାକି ଏହି ଅତ୍ୟାଧୁନିକ ହକି ଷ୍ଟାଡିୟମ୍ ନିର୍ମାଣ କାମରେ ଏକ ପ୍ରମୁଖ ବାଧକ ସାଜିଛି। ଗୃହ ବିଭାଗର ଅନୁମତି ମିଳୁ ନଥିବାରୁ କୋଠା ଭଙ୍ଗାଯାଇପାରୁ ନଥିବା ଜଣାପଡ଼ିଛି। ଫଳରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେକୁ ପୁଣି ବ୍ରହ୍ମପୁର ଇଡ଼୍‌କୋ ଡିଭିଜନାଲ ମୁଖ୍ୟ ଇଂ.ଅଶୋକ କୁମାର ମିଶ୍ର ଚିଠି ଲେଖିଛନ୍ତି।
ଉକ୍ତ ଜମିରେ ଥିବା ପୁରୁଣା କୋଠା ଭାଙ୍ଗିବା ପାଇଁ ସ୍ବତନ୍ତ୍ର ଅନୁମତି ଗୃହ ବିଭାଗରୁ ଆଣିବା ଲାଗି ହସ୍ତକ୍ଷେପ କରିବାକୁ ଚିଠି ମାଧ୍ୟମରେ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି। ଏହି ପୁରୁଣା କୋଠା ଭଙ୍ଗାଗଲେ ହକି ଆଷ୍ଟ୍ରୋଟର୍ଫ ନିର୍ମାଣ କାମ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇ ଶେଷ ହୋଇପାରିବ ବୋଲି ଚିଠି‌ରେ ଉଲ୍ଲେଖ କରାଯାଇଛି।
ସୂଚନା ଥାଉକି, ହକିର ଅନ୍ତୁଡ଼ିଶାଳ ଭାବେ ପରିଚିତ ଛତ୍ରପୁରରେ ଏକ ହକି ଷ୍ଟାଡିୟମ୍ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ୨୦୨୦ ମସିହା ନଭେମ୍ବର ୨ରେ ଘୋଷଣା କରିଥିଲେ। ଅତ୍ୟାଧୁନିକ ଆଷ୍ଟ୍ରୋଟର୍ଫ ବିଛାଯିବା ସହ ୨୦ହଜାରରୁ ଅଧିକ ଦର୍ଶକଙ୍କ ବସିବା ପାଇଁ ଗ୍ୟାଲେରି ଓ ରାତ୍ରୀକାଳୀନ ପ୍ରତିଯୋଗିତା ପାଇଁ ଫ୍ଲଡ୍‌ ଲାଇଟ୍‌ର ବ୍ୟବସ୍ଥା ହେବାକୁ ପ୍ରସ୍ତାବ ଥିଲା।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ପୁଣିଥରେ ଜିଲ୍ଲାକୁ ହକି ଫେରିବା ସହ ପୂର୍ବ ଗୌରବ ଫେରି ଆସିବ ବୋଲି ଜିଲ୍ଲାର ପୂର୍ବତନ ହକି ଖେଳାଳିଙ୍କ ମଧ୍ୟରେ ଆଶା ସଂଚାର ହୋଇଥିଲା। ଛତ୍ରପୁରରେ ଅଭ୍ୟାସ କରୁଥିବା ହକି ଖେଳାଳିମାନେ ମଧ୍ୟ ବେଶ୍ ଉତ୍ସାହିତ ହୋଇପଡ଼ିଥିଲେ। ଏଥିପାଇଁ ଛତ୍ରପୁର ତହସିଲ୍ ଅଧୀନ ସୀତାରାମପୁର ପ୍ରାୟ ୩.୧ ଏକର ବିଶିଷ୍ଟ ସ୍ଥାନ ଚିହ୍ନଟ ହୋଇଛି, ଯାହାକି ଜିଲ୍ଲା ପୁଲିସ୍ ବିଭାଗ ଅଧୀନରେ ରହିଛି। ଏହାକୁ ରାଜସ୍ବ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଗତ ମାର୍ଚ୍ଚ ମାସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ଗୃହ ବିଭାଗକୁ ଚିଠି ଲେଖି ନିବେଦନ କରାଯାଇଥିଲା। କିନ୍ତୁ କୌଣସି ପ୍ରତିଉତ୍ତର ମିଳି ନଥିଲା। ଏହାମଧ୍ୟରେ ଗୋଟିଏ ବର୍ଷରୁ ଅଧିକ ସମୟ ବିତିଗଲାଣି।ଏପର୍ଯ୍ୟନ୍ତ ସେହି ଜମି ହସ୍ତାନ୍ତର ହୋଇପାରିନାହିଁ। ଫଳରେ ପୁଣି ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି।
ସମ୍ବନ୍ଧିତ ଖବର