ପୁରୁଣା କାର୍ଡରେ ମିଳିବ ନୂଆ ସୁବିଧା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ପ୍ରସ୍ତୁତି

ଭୁବନେଶ୍ୱର: ଅଗଷ୍ଟ ୧୫ରୁ ଆରମ୍ଭ ହେବ ରାଜ୍ୟ ସରକାରଙ୍କ ବହୁଳ ପ୍ରଚାରିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେଓ୍ଵାଇ)। ପୂର୍ବରୁ ଚାଲୁ ରହିଥିବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା(ଆରଏସ୍‌ବିଓ୍ଵାଇ) ଓ ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେଓ୍ଵାଇ)ର ହିତାଧିକାରୀମାନେ ହିଁ ନୂଆ ଯୋଜନାର ହିତାଧିକାରୀ ହୋଇଛନ୍ତି। କେବଳ ସେହିମାନେ ବିଏସ୍‌କେଓ୍ଵାଇର ସୁବିଧା ପାଇପାରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ କୌଣସି ନୂଆ କାର୍ଡ ହିତାଧିକାରୀଙ୍କୁ ମିଳିବ ନାହିଁ। ସେମାନେ ପୂର୍ବରୁ ପାଇଥିବା ଆରଏସ୍‌ବିଓ୍ଵାଇ ଓ ବିକେକେଓ୍ଵାଇ କାର୍ଡ ଦେଖାଇ ନୂଆ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରିବେ। ମହିଳାମାନଙ୍କ କ୍ଷେତ୍ରରେ ଏହି ସୀମା ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଆରଏସ୍‌ବିଓ୍ଵାଇରେ ପଞ୍ଜୀକୃତ ୪୪ ଲକ୍ଷ ୮ ହଜାର ୭୦ ହିତାଧିକାରୀ ଓ ବିକେକେଓ୍ଵାଇରେ ପଞ୍ଜୀକୃତ ୨୫ ଲକ୍ଷ ୬୧ ହଜାର ୬୦୨ଙ୍କୁ ମିଶାଇ ସମୁଦାୟ ୬୯ଲକ୍ଷ ୬୯ହଜାର ୬୭୨ଜଣ ହିତାଧିକାରୀ ବିଏସ୍‌କେଓ୍ଵାଇରେ ସାମିଲ୍‌ ହୋଇଛନ୍ତି। ଏହି ହିତାଧିକାରୀମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏକ ପତ୍ର ସ୍ୱାଧୀନତା ଦିବସରୁ ବଣ୍ଟନ ଆରମ୍ଭ ହେବ। ସାତ ଦିନ ଭିତରେ ପତ୍ର ବଣ୍ଟନ ସାରିବାକୁ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ସଚିବ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ପତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ସବିଶେଷ ସୂଚନା ଦିଆଯାଇଛି।

ଆରଏସ୍‌ବିଓ୍ଵାଇ, ବିକେକେଓ୍ଵାଇ ହିତାଧିକାରୀ ହିଁ ପାଇବେ ସୁବିଧା
ଉଦ୍‌ଘାଟନ ହେବ ବିଏସ୍‌କେଓ୍ଵାଇ ହେଲ୍‌ପ୍‌ ଡେସ୍କ

ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ହେଲ୍ପ ଡେସ୍କଗୁଡ଼ିକ ଏଣିକି ‘ବିଏସ୍‌କେଓ୍ଵାଇ ହେଲ୍ପ ଡେସ୍କ’ ନାମରେ ନାମିତ ହେବ। ଆସନ୍ତା ସ୍ୱାଧୀନତା ଦିବସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାସ୍ତରୀୟ ଅତିଥିମାନେ ଏହାକୁ ଉଦ୍‌ଘାଟନ କରିବେ। ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଆଜି ଏ ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ନିର୍ଦ୍ଦେଶିକା ଦର୍ଶାଇଛନ୍ତି, ପ୍ରତ୍ୟେକ ଫାଷ୍ଟ ରେଫରାଲ୍‌ ୟୁନିଟ୍‌ରେ ୨୪ ଘଣ୍ଟିଆ ହେଲ୍‌ପ୍‌ ଡେସ୍କ କାର୍ଯ୍ୟ କରୁଛି। ସେହିପରି ଆରଏସ୍‌ବିଓ୍ଵାଇ ଓ ବିକେକେଓ୍ଵାଇ ପାଇଁ ମଧ୍ୟ ହେଲ୍‌ପ୍‌ ଡେସ୍କ କାର୍ଯ୍ୟ କରୁଛି। ଗତ ଡିସେମ୍ବର ମାସରେ ଏହି ସମସ୍ତ ହେଲ୍‌ପ୍‌ ଡେସ୍କକୁ ଗୋଟିଏ ହେଲ୍‌ପ୍‌ ଡେସ୍କରେ ପରିଣତ କରିବା ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ସ୍ୱାଧୀନତା ଦିବସରେ ଜିଲ୍ଲା ସ୍ତରୀୟ ଅତିଥିମାନେ ବିଏସ୍‌କେଓ୍ଵାଇ ହେଲ୍ପ ଡେସ୍କ ଉଦ୍‌ଘାଟନ କରିବେ। ଏହି ଡେସ୍କର ଏକ ସ୍ୱତନ୍ତ୍ର ଲୋଗୋ ରହିବ। ଉଦ୍‌ଘାଟନ ସମୟରେ ଯେପରି ସମସ୍ତ ସ୍ୱାସ୍ଥ୍ୟ ସେବା ମାଗଣାରେ ପ୍ରଦାନ ବିଷୟ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ, ତାହା ଉପରେ ଧ୍ୟାନ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର