କଟକ: ଏସ୍ସିବିରେ ସିଟି ସ୍କାନ୍ ପରେ ଏବେ ଦୁଇ ସପ୍ତାହ ହେଲା ଗୋଟିଏ କ୍ୟାଥ୍ଲାବ୍ ଅଚଳ ହୋଇପଡିଛି। ଯାହାଫଳରେ ଗୋଟିଏ କ୍ୟାଥ୍ଲାବ୍ରେ ଦିନକୁ ହାରାହାରି ଭାବେ ୮/୯ଜଣ ହୃଦ୍ରୋଗୀଙ୍କର ଆଞ୍ଜିଓଗ୍ରାମ, ଆଞ୍ଜିଓପ୍ଲାଷ୍ଟି ଠାରୁ ଆରମ୍ଭ କରି ହୃଦ୍ରୋଗ ବିଭାଗର ବିଭିନ୍ନ ଚିକିତ୍ସା କରାଯାଉଛି। ଫଳରେ ଅନେକ ରୋଗୀ ଏସସିବିରୁ ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଛନ୍ତି। ପାଖାପାଖି ଏକ ମାସ ହେବ ଦିନେ ଚାଲିଲେ ଦିନେ ବନ୍ଦ ହେଉଥିବା ପୁରୁଣା କ୍ୟାଥ୍ଲାବ୍ ଦୁଇ ସପ୍ତାହ ହେଲା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏସ୍ସିବି ଉପରେ ବିଭିନ୍ନ ଯୋଗାଣକାରୀ ସଂସ୍ଥାର କୋଟି କୋଟି ଟଙ୍କା ବାକି ପଡିଥିବାବେଳେ ଏଥିପାଇଁ ଅଚଳ କ୍ୟାଥ୍ଲାବ୍ ମରାମତି ବି ବିଳମ୍ବିତ ହେଉଥିବା କୁହାଯାଉଛି।
ଏସ୍ସିବି ହୃଦ୍ରୋଗ ବିଭାଗରେ ୨ଟି କ୍ୟାଥ୍ଲାବ୍ ରହିଛି। ଗୋଟିଏ ପୁରୁଣା ଓ ଅନ୍ୟଟି ନୂଆ। ନୂଆ କ୍ୟାଥ୍ଲାବ୍ରେ ସବୁ ଠିକ୍ ଚାଲିଥିବା ବେଳେ ପୁରୁଣା ଖରାପ ହୋଇପଡିଛି। ଦୁଇ କ୍ୟାଥ୍ଲାବରେ ପ୍ରତିଦିନ ହାରାହାରି ୧୫ଜଣ ହୃଦ୍ରୋଗୀଙ୍କ ବିଭିନ୍ନ ପ୍ରକାର ଚିକିତ୍ସା ହୋଇପାରୁଥିଲା। ଏବେ କିନ୍ତୁ ଗୋଟିଏ କ୍ୟାଥ୍ଲାବ୍ ଅଚଳ ଯୋଗୁଁ ଦିନକୁ ପାଖାପାଖି ୮/୯ ଜଣଙ୍କର ଚିକିତ୍ସା ହୋଇପାରୁଛି। ପୂର୍ବରୁ କ୍ୟାଥ୍ଲାବ୍ ଖରାପ ହେଉଥିଲେ୨/୩ଦିନ ଭିତରେ ତାର ମରାମତି ହେଉଥିଲା। ଏବେ କିନ୍ତୁ ଦୀର୍ଘ ଦିନ ସମୟ ଲାଗୁଥିଲେ ବି ତାର ମରାମତି ହୋଇପାରୁନି। ବିଭିନ୍ନ ଯୋଗାଣକାରୀ ସଂସ୍ଥାର ଯେଉଁ କୋଟି କୋଟି ଟଙ୍କା ବାକି ପଡିଛି ସେଇଥିପାଇଁ ସଂସ୍ଥା ମରାମତି ପାଇଁ ରାଜି ହେଉନଥିବା କୁହାଯାଉଛି। କ୍ୟାଥ୍ଲାବ୍ ଅଚଳ ସଂପର୍କରେ ଏସ୍ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କୁ ଯୋଗାଯୋଗ କରାଯିବାରୁ ପୁରୁଣା କ୍ୟାଥ୍ଲାବ୍ର ସମୟ ଅତିକ୍ରାନ୍ତ ହୋଇ ଯାଇଥିବାରୁ ତାହା ବାରମ୍ବାର ଖରାପ ହେଉଛି, ତେଣୁ ଆଗକୁ ଏହାକୁ ବ୍ୟବହାର କରାଯିବନି ବୋଲି ସେ କହିଛନ୍ତି।