ବାରିପଦା : ମୟୂରଭଞ୍ଜ ଜିଲ୍ଲାର ସର୍ବପୁରାତନ ସିନେମା ହଲ୍ ‘କେଏମ୍ବିଏମ୍’ ଆଜିଠୁ ବନ୍ଦ ହୋଇଯାଇଛି। ଗତକାଲି ସନ୍ଧ୍ୟା ୫.୪୫ରୁ ରାତି ସାଢ଼େ ୮ଟା ଯାଏ ସନ୍ଧ୍ୟା ଶୋ’ରେ ସିନେମା ‘ହାପି ଲକି’ ଶେଷଥର ପାଇଁ ପ୍ରଦର୍ଶିତ ହୋଇଥିଲା। ଗତକାଲିର ଶେଷ ଶୋ’ରେ ୧୨୧ ଜଣ ଦର୍ଶକ ଏହି ସିନେମାକୁ ଦେଖିଥିଲେ। ଆଜି ସକାଳୁ ସିନେମା ହଲ୍କୁ ବନ୍ଦ କରିଦିଆ ଗଲା ବୋଲି ମ୍ୟାନେଜର କୁନା ମହାନ୍ତି ସୂଚନା ଦେଇଛନ୍ତି। ଏହି ଖବର ପ୍ରଚାର ହୋଇଯିବା ପରେ ମୟୂରଭଞ୍ଜ ଜିଲ୍ଲାର କଳାକାର, ସିନେ ଦର୍ଶକଙ୍କ ମହଲରେ ନୈରାଶ୍ୟ ଖେଳିଯାଇଛି।
ସୂଚନାଯୋଗ୍ୟ, ଏହି ସିନେମା ହଲ୍ଟି ୧୯୩୭ରେ ବାରିପଦା ସହରରେ ପ୍ରତିଷ୍ଠାଲାଭ କରିଥିଲା। ଏହା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରେ ସିନେମା ହଲ୍ ତ ନଥିଲା, ସମଗ୍ର ରାଜ୍ୟରେ ମାତ୍ର ୫ଟି ସିନେମା ହଲ୍ ଥିଲା। କଟକ ସହରରେ ହିନ୍ଦ୍ ଓ ପ୍ରଭାତ ସିନେମା ହଲ୍, ଭୁବନେଶ୍ୱରର ରବି ଟକିଜ୍, ପୁରୀର ଶ୍ରୀକୃଷ୍ଣ ଟକିଜ୍, ଢ଼େଙ୍କାନାଳର ଲକ୍ଷ୍ମୀ ଟକିଜ୍ର ସମସାମୟିକ ଥିଲା କେଏମ୍ବିଏମ୍। ଦୀର୍ଘ ୮୧ ବର୍ଷର ଲମ୍ବା ଯାତ୍ରାକାଳରେ ଏହି ସିନେମା ହଲ୍ ଅନେକ ନାମୀଦାମୀ କଳାକାରଙ୍କ ଅଭିନୀତ ଫିଲ୍ମକୁ ରୂପେଲି ପର୍ଦାରେ ଦର୍ଶକଙ୍କୁ ଦେଖାଇଛି। ଅନେକ ଓଡ଼ିଆ ଚଳଚ୍ଚିତ୍ରର ପ୍ରିମିୟର ଶୋ’ ଏହି ସିନେମା ହଲ୍ରେ ହୋଇଛି। ଶେଷଥର ପାଇଁ ନିକଟରେ ଏହି ହଲ୍ରେ ବାରିପଦା କଳାକାର ସ୍ୱରାଜ ବାରିକଙ୍କ ‘ଲୈଲା ଓ ଲୈଲା’ର ପ୍ରିମିୟର ହୋଇଥିଲା। ବାରିପଦା କଳାକାର ଉତ୍ତମ ମହାନ୍ତି, ଅସିତ୍ ପତି, ରାଇମୋହନ, ବିଜୟ ମହାନ୍ତି, ମିହିର ଦାସ, ବାବୁସାନ୍, ଅପରାଜିତାଙ୍କ ପର୍ଯ୍ୟନ୍ତ ଓଲିଉଡ୍ର ପ୍ରତିଷ୍ଠିତ କଳାକାରମାନେ ଏହି ହଲ୍ରେ ସିନେମା ଦେଖିବାର ସୌଭାଗ୍ୟଲାଭ କରିଛନ୍ତି।
ମ୍ୟାନେଜର କୁନା ମହାନ୍ତିଙ୍କ କହିବାନୁଯାୟୀ, ୩୦ ବର୍ଷ ତଳେ ସିନେମାର କ୍ରେଜ୍ ଆକାଶଛୁଆଁ ଥିଲା। ଜିଲ୍ଲାପାଳ, ଏସ୍ପି ସେମାନଙ୍କ ପରିବାର ସହ ସିନେମା ଦେଖିବାକୁ ଆସୁଥିଲେ। ଦୈନିକ ୩ଟି ଶୋ’ ଚାଲୁଥିଲା। ହେଲେ ଆଜି ସେ କ୍ରେଜ୍ ନାହିଁ। ସିନେମା ହଲ୍ରେ ଦର୍ଶକ କମିଛନ୍ତି। ଆଜିଠୁ ସିନେମା ହଲ୍ ବନ୍ଦ ହେବା ଖବର ପାଇ ପ୍ରତିଷ୍ଠିତ ଗୀତିକାର ନିମାଇଁ ମହାନ୍ତି, ଅଭିନେତା ଉତ୍ତମ ମହାନ୍ତି ଓ ଅସିତ୍ ପତି ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି। ଏହି ସିନେମା ହଲ୍ଟି ମୟୂରଭଞ୍ଜର ଗୌରବ ବୋଲି ଗୀତିକାର ନିମାଇଁ କହିଛନ୍ତି। ତେବେ ଭବିଷ୍ୟତରେ ଏହାର ପୁନଃ ନିର୍ମାଣ ହେବ ବୋଲି ସିନେମା ହଲ୍ ମାଲିକ ଚନ୍ଦ୍ରଶେଖର ଖଣ୍ଡେଲଓ୍ଵାଲ୍ ସୂଚନା ଦେଇଛନ୍ତି।