କେନ୍ଦୁଝର : ବୃଦ୍ଧ ଦମ୍ପତିଙ୍କୁ ମାରି ପୋତିଦେଲେ

କେନ୍ଦୁଝର : ଜମିଜମା ବିବାଦରୁ ଦମ୍ପତିଙ୍କୁ ହତ୍ୟା । ଏହାପରେ ପ୍ରମାଣ ନଷ୍ଟ କରିବାକୁ ମୃତଦେହକୁ ଜଙ୍ଗଲରେ ମାଟି ଖୋଳି ପୋତି ଦିଆଯାଇଥିଲା। ଝୁମ୍ପୁରା ବ୍ଲକ କାଶିପାଳ ଜଙ୍ଗଲରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ମିଳିବା ପରେ ଏ ଘଟଣା ଲୋକଲୋଚନକୁ ଆସିଛି। ହତ୍ୟାର ଶିକାର ହୋଇଥିବା ଦମ୍ପତି ହେଲେ ଝୁମ୍ପୁରା ବ୍ଲକ ପାଟବିଲା ଗ୍ରାମର ବୁଦ୍ଧଦେବ ମହାକୁଡ଼ (୬୦) ଓ ମାଳତୀ ମହାକୁଡ଼ (୫୩)।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୮ତାରିଖ ଦିନ ନିକଟସ୍ଥ କାଶିପାଳ ହାଟକୁ ଚଣା ବିକ୍ରି କରିବାକୁ ଏହି ଦମ୍ପତି ଯାଇଥିଲେ। ହାଟରୁ ଫେରିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ଘରେ ପହଞ୍ଚି ନ ଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ଉଭୟଙ୍କର କୌଣସି ସନ୍ଧାନ ମିଳିନଥିଲା।

ଆଜି କାଶିପାଳ ଜଙ୍ଗଲରେ କେତେଜଣ ଛେଳି ଚରାଳି ମୃତଦେହ ପୋତା ହୋଇଥିବା ଦେଖିବାକୁ ପାଇଥିଲେ। ଶବ ଦୁଇଟିକୁ ଅଳ୍ପ ଖୋଳି ପୋତା ଯାଇଥିବାରୁ କିଛିଅଂଶ ପଦାକୁ ଦେଖାଯାଉଥିଲା। ଏହି ଖବର ଗାଁରେ ପ୍ରଚାର ହୋଇଯାଇଥିଲା। ଖବରପାଇ ବୁଦ୍ଧଦେବଙ୍କ ପୁଅ କାର୍ତ୍ତିକ ମହାକୁଡ଼ ଘଟଣାସ୍ଥଳକୁ ଯାଇ ମୃତକଙ୍କୁ ଚିହ୍ନଟ କରିଥିଲେ। ପରେ ଝୁମ୍ପୁରା ଥାନା ପୁଲିସ ଓ ମାଜିଷ୍ଟ୍ରେଟ ଜନକ ନାୟକ ଘଟଣାସ୍ଥଳରେ ପହଞ୍ଚି ପୋତା ଯାଇଥିବା ଶବକୁ ଉଦ୍ଧାର କରିଥିଲେ। ଜବତ ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଏ ସଂପର୍କରେ ଝୁମ୍ପୁରା ଥାନାରେ କେସ୍‌ ନମ୍ବର-୧୧୩/୧୯ରେ ମାମଲା ରୁଜୁ ହୋଇଛି। ଜମିଜମା ବିବାବଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର