ପରିବାରର ନିର୍ଯାତନା ସହି ପାରିଲେନି, ବିଷ ପିଇଲେ ବୃଦ୍ଧ ଦମ୍ପତି

ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ଧନକଉଡ଼ା : ‘ପୁଅ ଘରେ ରଖେଇ ଦେଉନି। ବାରମ୍ବାର ନିର୍ଯାତନା ଦେଉଛନ୍ତି। ସହି ପାରିଲୁନି। ବିଷ ପିଇଦେଲୁ।’ ଏତିକି କହି ଅଚେତ ହୋଇଗଲେ ଜଣେ ମହିଳା। ତାଙ୍କୁ ସଙ୍ଗେ ସଙ୍ଗେ ନିଆଗଲା ମେଡିକାଲ୍‌। ବୃଦ୍ଧା ପଡ଼ିଥିବା କିଛିଦୂରରେ ପଡ଼ିଥିଲେ ବୃଦ୍ଧ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଦୀପାବଳି ପାଳନ ପାଇଁ ସବୁ ଆଡ଼େ ଆନନ୍ଦ ଓ ଉତ୍ସାହର ପରିବେଶ ଥିବାବେଳେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଗୋଶାଳା ଅଞ୍ଚଳରେ ଘଟିଛି ଏହିଭଳି ଏକ ଅଭାବନୀୟ ଘଟଣା।

ମୃତକ ହେଲେ ଝାରମୁଣ୍ଡାର ଟକାଧର ମହାକୁର (୬୮)। ଗୁରୁତର ବୃଦ୍ଧା ହେଲେ ତାଙ୍କ ପତ୍ନୀ ବୃନ୍ଦାବତୀ ମହାକୁର (୬୨)। ମଙ୍ଗଳବାର ଘରୋଇ କଳହ ଯୋଗୁଁ ବୃଦ୍ଧ ଦମ୍ପତି ସନ୍ଧ୍ୟା ୬ ଟାରେ ସାଇକଲ୍‌ରେ ଘରୁ ବାହାରିଥିଲେ। ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ। ଆଜି ଉଭୟେ କୀଟନାଶକ ଖାଇ ଦେଇଥିଲେ। ଅପରାହ୍‌ଣ ପ୍ରାୟ ୪ଟା ସମୟରେ ଗୋଶାଳା ଆଇଆଇଏମ୍ ରାସ୍ତାରେ ଏହି ବୃଦ୍ଧ ଦମ୍ପତି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଖବର ଦେଇଥିଲେ। ବୃଦ୍ଧା ଜଣକ ଅଚେତ ହେବାପୂର୍ବରୁ ସ୍ଥାନୀୟ ଲୋକଙ୍କୁ କହିଥିଲେ ଯେ ଘରେ ପୁଅ ତାଙ୍କୁ ଅତ୍ୟାଚାର କରୁଛି। ସେମାନଙ୍କ ସହିତ ବାରମ୍ବାର କଳିଗୋଳ ହେଉଛି। ସହି ନପାରି ଘରୁ ବାହାରି ଆସି ଆମେ ବିଷ ପିଇ ଦେଇଥିଲୁ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ଟକାଧରଙ୍କ ମୃତ୍ୟୁ ହୋଇ ସାରିଥିଲା। ବୃଦ୍ଧା ଜଣଙ୍କ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ। ବୃନ୍ଦାବତୀଙ୍କୁ ବୁର୍ଲାରେ ଚିକିତ୍ସା କରାଯାଉଥିବାବେଳେ ତାଙ୍କ ଅବସ୍ଥା ଏବେ ଗୁରୁତର ଥିବା ଜଣାପଡ଼ିଛି।

ଟକାଧରଙ୍କ ଶବ ଜବତ କରାଯାଇଛି। ଆସନ୍ତା କାଲି ବ୍ୟବଚ୍ଛେଦ କରାଯିବା ସହିତ ଘଟଣାର ତଦନ୍ତ କରାଯାଉଛି ବୋଲି ପୁଲିସ୍ କହିଛି। ଉଲ୍ଲେଖଯୋଗ୍ୟ ଯେ ଦେଢ଼ମାସ ତଳେ ସେମାନଙ୍କ ବଡ଼ ପୁଅର ଦୁର୍ଘଟଣା‌ରେ ମୃତ୍ୟୁ ହୋଇଯାଇଛି। ସାନ ପୁଅ ବିବାହିତ ଓ ସେ ଘରେ ରହୁଛନ୍ତି।

ସମ୍ବନ୍ଧିତ ଖବର