ସଫଳ ଚାଷୀ: ଖତରେ ସୁନାର ଫସଲ ଫଳାଉଛନ୍ତି ବୃଦ୍ଧ ଦମ୍ପତ୍ତି 

ଫୁଲବାଣୀ: ସାର ନାହିଁ କି କୀଟନାଶକ ବି ପ୍ରୟୋଗ ନାହିଁ। କେବଳ ଖତରେ କ୍ଷେତରେ ଫଳୁଛି ସୁନାର ଫସଲ। ସାର ଓ କୀଟନାଶକ ବିନା କେବଳ ‌ଖତରେ ‌ସୁନାର ଫସଲ ଫଳାଉଛନ୍ତି ବୃଦ୍ଧ ଦମ୍ପତ୍ତି। ସଫଳ ଚାଷୀ ବୃଦ୍ଧ ଦମ୍ପତ୍ତି ହେଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ କଟ୍ରିଙ୍ଗିଆ ପଞ୍ଚାୟତ କାଣିବାଲି ଗାଁର ଭଂଜଦେବ କହଁର ଓ ପ୍ରମିଳା କହଁର।

ଭଂଜଦେବଙ୍କ ବୟସ ୬୫। ଆଉ ପ୍ରମିଳାଙ୍କୁ ହେଲାଣି ୬୨ ବର୍ଷ। ଏହି ବୃଦ୍ଧ ବୟସରେ ବି ସେମାନେ ଚାଷକୁ ଅଣଦେଖା କରି ପାରି ନାହାନ୍ତି। ଭଂଜଦେବଙ୍କ ଅଧିକ ଜମି ନାହିଁ ସତ ଯାହା କି ଅଛି ସେଥିରେ ସବୁ ପ୍ରକାର ଫସଲ ସେ କରନ୍ତି। ତାଙ୍କୁ ଏଥିରେ ପତ୍ନୀ ପ୍ରମିଳା ସାହାଯ୍ୟ କରିଥାନ୍ତି। ବୃଦ୍ଧ ଦମ୍ପତ୍ତି କ୍ଷେତରେ ବିଭିନ୍ନ ପ୍ରକାର ପରିପରିବା ଚାଷ କରୁଛନ୍ତ। ବର୍ଷତମାମ ତାଙ୍କ କ୍ଷେତରେ ଫସଲ ଫଳୁଛି। ବାଇଗଣ, ଭେଣ୍ଡି, ଜହ୍ନି, ବିନସ୍ ହେଉ କି ଫୁଲ ଓ ବନ୍ଧା କୋବି ହେଉ। ଆଉ କୋଶଳା ଶାଗ। ବର୍ଷ ତମାମ ଏସବୁ ପରିବା ସେମାନେ ଫଳାଉଛନ୍ତି। ଯେ କେହି ଯେତେ ‌ବେଳେ କିଣିବାକୁ ଯାଆନ୍ତି ବିନା ପରିବାରେ ଫେରନ୍ତି ନାହିଁ।

ସାର ଓ କୀଟନାଶକ ପ୍ରୟୋଗ କରି ଫଳୁଥିବା ପରିବା ‌ସ୍ବାସ୍ଥ୍ୟ ପାଇଁ କ୍ଷତି କାରକ। ଯଦିଓ ଏହା ଦ୍ବାରା ଅଧିକ ଫସଲ ହେବ। ହେଲେ ସ୍ବାସ୍ଥ୍ୟ ପାଇଁ ଖତରେ ହେଉଥିବା ଫସଲ ହିତକାରକ ହୋଇଥିବାରୁ ସେମାନେ ବହୁ ବର୍ଷ ହେଲା ଏଭଳି ଆପଣାଇଥିବା କହନ୍ତି ଭଂଜଦେବ ଓ ପ୍ରମିଳା। ଫସଲରୁ ବର୍ଷକୁ ଲକ୍ଷେ ଟଙ୍କା ମିଳୁଛି। ଆଉ ସେମିତି କିଛି ରୋଜଗାର ନଥିବାରୁ ସେତିକିରେ ପରିବାର କଷ୍ଟେମଷ୍ଟେ ଚଳି ଯାଉଛି। ସେମାନଙ୍କର ଗୋଟିଏ ପୁଅ ଓ ଦୁଇ ଝିଅ । ଦୁଇ ଝିଅଙ୍କ ବାହାଘର ସରିଛି। ପୁଅ ଫୁଲବାଣୀ ସ୍ବୟଂଶାସିତ କଲେଜ ଯୁକ୍ତ ୩ ଶେଷ ବର୍ଷରେ ପଢୁଛି। ପୁଅକୁ ଭଲ ମଣିଷ କରିବା ସେମାନଙ୍କ ଲକ୍ଷ୍ୟ ବୋଲି ସେମାନେ କହନ୍ତି। କେବଳ ସାର ଓ କୀଟନାଶକ ପ୍ରୟୋଗ ଦ୍ବାର ଭଲ ଫସଲ ଫଳିବ। ତାହା ମିଛ କଥା। ହେଲେ ଖତ ପ୍ରୟୋଗ କରି ଭଲ ଭାବେ ଚାଷ କଲେ ଭଲ ଫସଲ ଫଳିବ ବୋଲି ସେମାନେ କହିଛନ୍ତି।

ଭଂଜଦେବ ଓ ପ୍ରମିଳାଙ୍କ ଦ୍ବାରା ଖତରେ କ୍ଷେତରେ ସୁନାର ଫସଲ ଫଳୁଥିବା ଦେଖି ଅନ୍ୟମାନେ ଅନୁପ୍ରାଣୀତ ହୋଇ ଚାଷ କରୁଛନ୍ତି। ହେଲେ ବିକ୍ରି ବଟା କରିବାକୁ ବହୁ ଦୁର ହେଉଛି। ଗାଁଠାରୁ ୨୫ କିଲୋମିଟର ଦୁର ହେଉଛି ଫୁଲବାଣୀ। ଆଉ ୧୫ କିଲୋମିଟର ଦୁର ହେଉଛି ଫିରିଙ୍ଗିଆ। ଫିରିଙ୍ଗିଆ ବଜାର ପାଖ ହେଉଛି ସତ ହେଲେ ରାସ୍ତାର ଅବସ୍ଥା ଖରାପ ଥିବାରୁ ପରିବା ‌ବିକ୍ରି କରିବା ପାଇଁ ଯିବାକୁ ଭୟ ଲାଗୁଛି ବୋଲି କହନ୍ତି ଭଂଜଦେବ। ଚାଷୀଙ୍କ ସୁବିଧା ପାଇଁ ନୂଆ କୃଷି ବିଲ ପ୍ରତ୍ୟାହାର ସପକ୍ଷରେ ସଫଳ ଚାଷୀ ବୃଦ୍ଧ ଦମ୍ପତ୍ତି ଭଂଜଦେବ ଓ ପ୍ରମିଳା। ବୃଦ୍ଧ ବୟସରେ ବି ବିନା ସାର ଓ କୀଟନାଶରେ କ୍ଷେତ୍ରରେ ସୁନାର ଫସଲ ଫଳାଉଥିବା ଭଂଜଦେବ ଓ ପ୍ରମିଳା ଅନ୍ୟମାନଙ୍କ ପାଇଁ ଉଦାହରଣ।

ସମ୍ବନ୍ଧିତ ଖବର