ପାରିବାରିକ ନିର୍ଯାତନା ଅସହ୍ୟ : ଜୀବନ ହାରିଲେ ବୃଦ୍ଧ ଦମ୍ପତି

ଦଶରଥପୁର : ପାରିବାରିକ ଅଶାନ୍ତି ସାଙ୍ଗକୁ ନିର୍ଯାତନା। ସହି ପାରିଲେନି ବୃଦ୍ଧ ଦମ୍ପତି। ଶେଷରେ ଚରମ ପଦକ୍ଷେପ ନେଲେ। ସ୍ତ୍ରୀ ବେକରେ ରଶି ଲଗାଇ ଏବଂ ସ୍ବାମୀ ବିଷ ପିଇ ଜୀବନ ହାରିଦେଲେ। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ନିଜାମପୁର ପଞ୍ଚାୟତ କୋତପୁର ଗ୍ରାମରେ ଏହିଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି।

ମୃତ ଦମ୍ପତି ହେଉଛନ୍ତି ଘନଶ୍ୟାମ ଖଟୁଆ(୭୦) ଏବଂ ତାଙ୍କ ପତ୍ନୀ ତାରାମଣି ଖଟୁଆ(୬୫)। ପ୍ରତ୍ୟକ୍ଷଦର୍ଶୀ ଏବଂ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କୌଣସି କାରଣରୁ ପୁଅ ବୋହୂଙ୍କ ସହିତ ବାପାମା’ଙ୍କ ବଚସା ହୋଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ଗାଁ ଲୋକେ ପ୍ରତିବାଦ କରିଥିଲେ ମଧ୍ୟ ପୁଅବୋହୂ ଶୁଣିନଥିଲେ। ଗାଳିଗୁଲଜ କରି ଚାଲିଥିଲେ। କିଛି ସମୟ ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ସବୁଦିନ ପରି ଘନଶ୍ୟାମ ଓ ତାରାମଣି ଖାଇପିଇ ଶୋଇବାକୁ ଯାଇଥିଲେ। ନାତି ବି ପାଖରେ ‌ଶୋଇଥିଲା। ମାତ୍ର ସକାଳୁ ନାତି ଉଠିଲାବେଳକୁ ବିଛଣାରେ ଦୁହେଁ ନଥିଲେ। ଏକଥା ନାତି ତା’ର ବାପାମାଆଙ୍କୁ ଜଣାଇଥିଲା।

କଥାଟା ବି ଗାଁରେ ପ୍ରଘଟ ହୋଇଯାଇଥିଲା। ଏହାପରେ ଆରମ୍ଭ ହୋଇଯାଇଥିଲା ଖୋଜାଖୋଜି।

ବହୁ ଖୋଜାଖୋଜି ପରେ ଗାଁ ପାଖ ବିଲର ଏକ ବରଗଛରେ ମା’ ତାରାମଣି ରଶି ଲଗାଇ ଓହଳି ପଡ଼ିଥିବାବେଳେ ତାହାର ଠିକ୍‌ ଅନତିଦୂରରେ ବାପା ଘନଶ୍ୟାମ ବିଷ ପିଇ ଛଟପଟ ହେଉଥିଲେ। ତୁରନ୍ତ ଘନଶ୍ୟାମଙ୍କୁ ଉଦ୍ଧାର କରାଯାଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମଙ୍ଗଳପୁର ପୁଲିସ ଦୁଇଟି ଯାକ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ୧୭/୧୯ ଏବଂ ୧୮/୧୯ରେ ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ଏଏସଆଇ ଏସ. କେ. ସିଂହ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର