ବରଗଡ଼ ନିର୍ବାଚନମଣ୍ଡଳୀ: ପୁରୁଣା ଚେହେରାରେ ନୂଆ ଖେଳ

ବରଗଡ଼(ଅଂଜନ ପ୍ରଧାନ): ରାଜ୍ୟ ରାଜନୀତିକୁ ବରଗଡ଼ ନିର୍ବାଚନମଣ୍ଡଳୀ ତୁଙ୍ଗ ନେତା ଭେଟି ଦେଇଛି। ରାଜନୀତି ଇତିହାସ ପୃଷ୍ଠା ଓଲଟାଇଲେ ଏହି ନିର୍ବାଚନମଣ୍ଡଳୀର ଓଜନଦାର୍‌ ନେତାଙ୍କ ନାମ ସାମନାକୁ ଆସିବ। ଭାରତ ସ୍ବାଧୀନ ହେବା ପରେ ୧୯୫୧ ମସିହାରୁ ଏହି ନିର୍ବାଚନମଣ୍ଡଳୀ ୧୫ଟି ନିର୍ବାଚନର ସମ୍ମୁଖୀନ ହୋଇଛି। ଯେଉଁଥିରେ ବିଜେଡି ୩ଥର, ଜନତା ଦଳ ୨ଥର, କଂଗ୍ରେସ ୫ଥର ବିଜୟ ସ୍ବାଦ ଚାଖି ସାରିଛି। ୧୯୫୧ ମସିହା ପ୍ରଥମ ନିର୍ବାଚନରେ କଂଗ୍ରେସ ବାଜି ମାରିଥିଲା। ସମୟ ସମୟରେ କଂଗ୍ରେସ ଏହି ଆସନ ଅକ୍ତିଆର କରି ନିଜ ଦମ୍‌ ଦେଖାଇଥିଲା। କିନ୍ତୁ ଆଚାର୍ଯ୍ୟ ପରିବାର କଂଗ୍ରେସର ବିଜୟ ରଥରେ ଲଗାମ ଟାଣିଥିଲେ। ୧୯୯୦ ଏବଂ ୧୯୯୫ ନିର୍ବାଚନରେ ଜନତା ଦଳରୁ ପ୍ରସନ୍ନ ଆଚାର୍ଯ୍ୟ, ୨୦୦୦ ଏବଂ ୨୦୦୪ରେ ବିଜେଡି ଟିକେଟ୍‌ ପାଇ ଆନନ୍ଦ ଆଚାର୍ଯ୍ୟ ବିଜୟୀ ହୋଇଥିଲେ। ତେବେ ୨୦୦୯ରେ ବିଜେଡି ହାତରୁ ବରଗଡ଼ ଆସନକୁ କଂଗ୍ରେସ ପ୍ରାର୍ଥୀ ସାଧୁ ନେପାକ ଛଡ଼ାଇ ନେଇଥିଲେ। ଆଚାର୍ଯ୍ୟ ପରିବାରର ଦବ୍‌ଦବାରେ ପୂର୍ଣ୍ଣଛେଦ ପଡ଼ିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ ୨୦୧୪ ମସିହାରେ ଏହାକୁ ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ପୁଅ ଦେବେଶ ଆଚାର୍ଯ୍ୟ ଭୁଲ ପ୍ରମାଣିତ କରିଥିଲେ। ‌େ‌ଦବେଶ ୫୯,୩୫୦ଖଣ୍ଡ ଭୋଟ୍‌ ପାଇ କଂଗ୍ରେସର ପୂର୍ବତନ ବିଧାୟକ ସାଧୁ ନେପାକଙ୍କୁ ୧୩,୨୦୪ଟି ଭୋଟ୍‌ରେ ହରାଇଥିଲେ। ବି‌େଜପି ପ୍ରାର୍ଥୀ ଅଶ୍ବିନୀ ଷଡଙ୍ଗୀ। ୨୨,୭୦୭ଟି ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଥିଲେ। ବର୍ତମାନ ରାଜନୈତିକ ପାଣିପାଗ ଅନୁସାରେ, ଏହି ତିନିଜଣ ପୁରୁଣା ଚେହେରାଙ୍କ ମଧ୍ୟରେ ନୂଆ ଖେଳ ଚାଲିବ। ଦେବେଶ, ସାଧୁ ଏବଂ ଅଶ୍ବିନୀ ନିଜନିଜ ଦଳରେ ଟିକେଟ୍‌ ଦୌଡ଼ରେ ସର୍ବାଗ୍ରେ ଥିବା ଚର୍ଚ୍ଚା ହେଉଛି। ସେହି ହିସାବରେ ଏମାନେ ପ୍ରଚାର ଅଭିଯାନ ମଧ୍ୟ ଚଳାଇଛି। ଯୁବ ବିଧାୟକ ଦେବେଶ ରାଜ୍ୟ ସରକାରଙ୍କ ବିଭିନ୍ନ ଜନପ୍ରିୟ ଯୋଜନାକୁ ଆୟୁଧ କରି ନିର୍ବାଚନ ଜିଣିବାକୁ ଆଶା ବାନ୍ଧିଛନ୍ତି। ସହର ଏବଂ ଗାଁଗାଁ ବୁଲି ସକ୍ରିୟ ପ୍ରଚାର ଚଳାଇଛନ୍ତି। ଟିକେଟ୍‌ ପାଇଁ ଦଳରେ ତାଙ୍କ ପାଇଁ ପଥ ପରିସ୍କାର ଥିବା ଶୁଣିବାକୁ ମିଳୁଛି। କିନ୍ତୁ କଂଗ୍ରେସର ରେକର୍ଡ ଦେଖିଲେ ଆଗକୁ କିଛି ବି ଘଟିବା ଆଶଙ୍କା ରହିଛି। ସାଧୁଙ୍କ ବ୍ୟତୀତ ଆହୁରି ଆଶାୟୀ ଟିକେଟ୍‌ ପାଇଁ ଧାଁଦୌଡ଼ କରୁଛନ୍ତି। ସେମାନଙ୍କୁ ଅଣଦେଖା କଲେ ଦଳଡିଆଁ ଆରମ୍ଭ େହାଇପାରେ। ସେହିପରି ବିଜେପି ପାଇଁ ରାଜ୍ୟ ଉପସଭାପତି ଦାୟିତ୍ବରେ ଥିବା ଅଶ୍ବିନୀ ଷଡଙ୍ଗୀ ପ୍ରଥମ ପସନ୍ଦରେ ଥିବା କୁହାଯାଉଛି। ବରଗଡ଼ ଆସନରେ ବିଜେପି କେବେବି ବିଜୟ ପାଇନାହିଁ। ଆଇଓସିଏଲ୍‌ରୁ କୋଟିକୋଟି ଟଙ୍କାର ଅନୁଦାନ ଆଣି ଅଶ୍ବିନୀ ବରଗଡ଼ର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଇଛନ୍ତି। ତେଣୁ ବରଗଡ଼ ଆସନ ପୁଣିଥରେ ପୁରୁଣା ପ୍ରାର୍ଥୀଙ୍କୁ ନେଇ ତ୍ରିମୁଖୀ ଲଢ଼େଇ ଦେଖିବ ବୋଲି ରାଜନୈତିଜ୍ଞଙ୍କ ମତ।

ସମ୍ବନ୍ଧିତ ଖବର