ବିବାଦରେ ଛନ୍ଦି ହୋଇ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେନି ତିନି ଚର୍ଚ୍ଚିତ ଚେହେରା!

ଭୁବନେଶ୍ବର : ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ କରିବା ପରେ ଏବେ ଗୋଟିଏ ଚର୍ଚ୍ଚା ଜୋର ଧରିଛି। ତାହା ପ୍ରତାପ ଜେନା, ଅରୁଣ ସାହୁ ଏବଂ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀପଦ ନ ମିଳିବାକୁ ନେଇ ଚର୍ଚ୍ଚା। କୁହାଯାଉଛି ଯେ ଏତିନିଜଣ ବିଭିନ୍ନ ବିବାଦରେ ଛନ୍ଦି ହୋଇ ଦଳର ଭାବମୂର୍ତ୍ତିକୁ ନଷ୍ଟ କରିଥିଲେ। ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ନେଇ ଢେର୍ ବଦନାମ ମୁଣ୍ଡାଇଥିଲେ ସରକାର। ଏଥିଲାଗି ପ୍ରତାପ ଜେନାଙ୍କୁ ଦାୟୀ କରାଯାଇ ବିରୋଧୀ ଦଳଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା
ଏଣେ ନୟାଗଡ଼ ପରୀ ହତ୍ୟା ମାମଲାରେ ବି ବିରୋଧୀ ଢେର୍ ହଲାପଟା କରିଥିଲେ। ଏହି ଘଟଣାରେ ଅରୁଣ ସାହୁଙ୍କ ସଂପୃକ୍ତିକୁ ନେଇ ଅଭିଯୋଗ ହୋଇଥିଲା। ଏସବୁକୁ ବଳି ଯାଇଥିଲା କଳାହାଣ୍ଡି ମମିତା ମୃତ୍ୟୁ ପ୍ରସଙ୍ଗ। ଏଥି‌ପାଇଁ ବିବାଦରେ ଛନ୍ଦି ହୋଇଥିଲେ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର। ଏହି ତିନି ଘଟଣାରେ ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନା, ଅରୁଣ ସାହୁ ଏବଂ ଦିବ୍ୟଶଙ୍କର ମିଶ୍ର ଚର୍ଚ୍ଚାକୁ ଆସିଥିଲେ। ସେ ସମୟରେ ବିରୋଧୀଙ୍କ ଆଗରେ ମୁଣ୍ଡ ନୁଆଁଇନଥିଲେ ରାଜ୍ୟ ସରକାର। ପଞ୍ଚାୟତ ଓ ପୌର ନିର୍ବାଚନରେ ଏହାର କୌଣସି ପ୍ରଭାବ ପଡିନଥିଲା ସତ, କିନ୍ତୁ ସତର୍କ ନବୀନ ମନ୍ତ୍ରିମଣ୍ଡଳ ନବକଳେବର ପରେ କାଳେ ଏହି ପ୍ରସଙ୍ଗଟି ଆଉଥରେ ଉଠିବ, ସେଥିପାଇଁ ସାମାନ୍ୟ ରିସ୍କ ନେଇନାହାନ୍ତି ବୋଲି ରାଜନୈତିକ ମହଲ ମତ ରଖୁଛନ୍ତି। ହେଲେ ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମସ୍ତଙ୍କୁ ବାଦ୍ ଦେଇଛନ୍ତି।ଏମାନଙ୍କୁ ନେଇ ଭବିଷ୍ୟତରେ ବିରୋଧୀ ଆଉ ମୁଖ୍ୟମନ୍ତ୍ରୀଙ୍କୁ ଘେରିବାର ସୁଯୋଗ ନାହିଁ।
ମୁଖ୍ୟମନ୍ତ୍ରୀ ଏହା ଜରିଆରେ ଆଉ ଏକ ବାର୍ତ୍ତା ବି ଦେଇଛନ୍ତି ଯେ ବିରୋଧୀଙ୍କ ଚାପରେ ସେ କାହାକୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବେନାହିଁ।

ସମ୍ବନ୍ଧିତ ଖବର