ପୋଖରୀ ଖନନ ସମୟରେ ଉଦ୍ଧାର ହେଲା ପ୍ରାଚୀନ ଆଦିବିଷ୍ଣୁ ମୂର୍ତ୍ତି

ଯାଜପୁର: ଜିଲ୍ଲାର ଅଭୟପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମରୁ ଉଦ୍ଧାର ହୋଇଛି ଏକ ବହୁ ପୁରାତନ ବିଷ୍ଣୁ ବିଗ୍ରହ। ଗ୍ରାମର ଏକ ପୋଖରୀର ଖନନ କାର୍ଯ୍ୟ ଚାଲୁଥିବା ସମୟରେ ଏହି ମୂର୍ତ୍ତିଟି ନଜରକୁ ଆସିଥିଲା। ପରେ ଅଚ୍ୟୁତପୁର ଗ୍ରାମର କିଶୋରିକାନ୍ତ ରାଉତଙ୍କ ବାଡ଼ିରେ ମୂର୍ତ୍ତିଟିକୁ ରଖାଯାଇଛି। ସ୍ଥାନୀୟ ଅଧିବାସୀଙ୍କ ଠାରୁ ଖବର ପାଇ ଐତିହ୍ୟ ଗବେଷକ ତଥା ଇନଟାକ ସଦସ୍ୟ ଦୀପକ କୁମାର ନାୟକ ଓ ଯୁବ-ଐତିହ୍ୟପ୍ରେମୀ ସୁମନ ପ୍ରକାଶ ସ୍ୱାଇଁ ଅଚ୍ୟୁତପୁର ଗ୍ରାମରେ ପହଞ୍ଚଥିଲେ ଓ ଏହି ମୂର୍ତ୍ତିଟିକୁ ଆଦିମୂର୍ତ୍ତି ବାସୁଦେବଙ୍କ ପ୍ରତିମା ରୂପେ ଚିହ୍ନଟ କରିଥିଲେ। ମୂର୍ତ୍ତିଟିର ଉଚ୍ଚତା ପ୍ରାୟ ସାଢ଼େ ଚାରି ଫୁଟ ହୋଇଥିବା ବେଳେ ଓଜନ ଆନୁମାନିକ ଆଠରୁ ଦଶ କୁଇଣ୍ଟାଲ ହେବ।

ଶ୍ରୀ ନାୟକ କହିଛନ୍ତି ଯେ, ଏ ପ୍ରକାର ବିଷ୍ଣୁ ପ୍ରତିମାର ନିର୍ମାଣ କାଳ ଅତି ପ୍ରାଚୀନ ସମୟର। ଆଦିମୂର୍ତ୍ତି ବିଷ୍ଣୁ ପ୍ରତିମା ଗୁଡିକରେ ଭଗବାନ ବିଷ୍ଣୁଙ୍କର ଚାରୋଟିଯାକ ହସ୍ତ ନିମ୍ନଗାମୀ ଅବସ୍ଥାରେ ରହିଥାନ୍ତି। ମୂର୍ତ୍ତିରେ ବାହାନ ଗରୁଡ଼ ଅନୁପସ୍ଥିତ ଥାନ୍ତି, କିନ୍ତୁ ଆୟୁଧ ପୁରୁଷ ଓ ନାରୀଙ୍କ ଉପସ୍ଥିତି ଥାଏ। ଅଚ୍ୟୁତପୁରରୁ ଉଦ୍ଧାର ହୋଇଥିବା ଏହି ଆଦିମୂର୍ତ୍ତି  ବିଷ୍ଣୁ ପଛ ଦକ୍ଷିଣ ହସ୍ତରେ ଗଦା ନାରୀ ଓ ପଛ ବାମ ହସ୍ତରେ ଚକ୍ର ପୁରୁଷଙ୍କୁ ଧାରଣ କରିଛନ୍ତି। ଆଗ ଦକ୍ଷିଣ ହସ୍ତରେ ଏକ ଜପାମାଳ ଧରିଥିବା ବେଳେ ଆଗ ବାମ ହସ୍ତଟି ଭାଙ୍ଗିଯାଇଛି। ସେ ଜଟାମୁକୁଟ ପରିହିତ। ଏ ପ୍ରକାର ମୂର୍ତ୍ତି ପ୍ରାୟ ଅଷ୍ଟମ ଶତାବ୍ଦୀ କିମ୍ବା ତା ଠାରୁ ଆହୁରି ପୁରାତନ ହୋଇପାରେ ବୋଲି ଶ୍ରୀ ନାୟକ ମତବ୍ୟକ୍ତ କରିଛନ୍ତି।

ଯୁବ ଐତିହ୍ୟପ୍ରମୀ ସୁମନ ପ୍ରକାଶ ସ୍ବାଇଁଙ୍କ ମତରେ ଓଡ଼ିଶାର କେବଳ ହାତଗଣତି କେତେକ ସ୍ଥାନରେ ଏପରି ପ୍ରତିମା ଦେଖାଯାଏ। ଯାଜପୁର ଜିଲ୍ଲାର ସିଦ୍ଧେଶ୍ଵର ମନ୍ଦିର, ତ୍ରିଲୋଚନେଶ୍ବର ମନ୍ଦିର ଓ ପ୍ରାଚୀ ଉପତ୍ୟକା ଅନ୍ତର୍ଗତ ପୁରୀ ଜିଲ୍ଲାର ମୁଦ୍ଗଲ ଗ୍ରାମରେ ଆଦି ବିଷ୍ଣୁ ପ୍ରତିମା ସବୁ ଦେଖାଯାଏ। ତେବେ ଅଚ୍ୟୁତପୁରରୁ ଉଦ୍ଧାର ହୋଇଥିବା ଏହି ବିଗ୍ରହ ନିଶ୍ଚିତ ଭାବରେ ବିରଳ ଶ୍ରେଣୀଭୁକ୍ତ।

ଇନଟାକର ପ୍ରକଳ୍ପ ସଂଯୋଜକ ଅନୀଲ ଧୀର କହିଛନ୍ତି, ଯେଉଁ ସ୍ଥାନରୁ ଏହି ମୂର୍ତ୍ତି ପ୍ରାପ୍ତ ହୋଇଛି ସେ ସ୍ଥାନରେ ପ୍ରାଚୀନ କାଳରେ ଉଭୟ ବୌଦ୍ଧ ଓ ବ୍ରାହ୍ମଣ ଧର୍ମର ପ୍ରଭାବ ଥିଲା। କାଇମା, ଉଦୟଗିରି, ସିଂହପୁର, ବିରଜା କ୍ଷେତ୍ର ଆଦି ପ୍ରାଚୀନ ଐତିହାସିକ ସ୍ଥାନମାନଙ୍କରୁ ଏପରି ବିଗ୍ରହ ପ୍ରାପ୍ତି ହେବା ନୂଆ କଥା ନୁହେଁ। ଅତୀତରେ ଯାଜପୁର ଅଞ୍ଚଳରେ ଘଟିଥିବା ଅନେକ ଯବନ ଆକ୍ରମଣ ସମୟରେ ସ୍ଥାନୀୟ ଅଧିବାସୀ ଓ ସେବାୟତମାନେ ବିଗ୍ରହସବୁକୁ ପାଣି ମଧ୍ୟରେ ଲୁଚାଇ ରଖୁଥିଲେ। ଅନତି ଦୂରରେ ଅବସ୍ଥିତ ସିଂହପୁର ଗ୍ରାମର ନାରାୟଣ ଗୋସାଇଁଙ୍କ ବିଗ୍ରହକୁ ମଧ୍ୟ କଳା ପାହାଡର ଆକ୍ରମଣ ସମୟରେ ଜଳାଶୟରେ ଲୁଚାଯାଇଥିଲା। ହୁଏତ ଅଚ୍ୟୁତପୁରରେ ମଧ୍ୟ କୋୖଣସି ପ୍ରାଚୀନ ଦେବାଳୟ ଥାଇପାରେ, ଯାହାର ବିଗ୍ରହକୁ ଏପରି କିଛି ବିପଦ ଭୟରେ ପାଣି ମଧ୍ୟରେ ଲୁଚାଇ ରଖାଯାଇଥିଲା।

ଏହି ପୁରାତନ ବିଗ୍ରହର ସଂରକ୍ଷଣ ପାଇଁ ଶ୍ରୀ ଧୀର ଓ ଶ୍ରୀ ନାୟକ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଓ ସରକାରଙ୍କୁ ଅନୁରୋଧ କରିଛନ୍ତି। ଗ୍ରାମବାସୀମାନେ ମଧ୍ୟ ଏହାର ରକ୍ଷଣାବେକ୍ଷଣ ପାଇଁ ଦାବି କରିଛନ୍ତି। ପ୍ରତ୍ନତତ୍ୱ ବିଭାଗର ଅଧିକାରୀମାନେ ସ୍ଥାନଟିର ପରିଦର୍ଶନ କରି ଏହାର ସଂରକ୍ଷଣ ପାଇଁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର