ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଗତ ୬ ମାସ ମଧ୍ୟରେ ୫ଟି ପ୍ରାଚୀନ ମନ୍ଦିରରୁ ୩୯ଟି ବହୁମୂଲ୍ୟ ଅଷ୍ଟଧାତୁ ମୂର୍ତ୍ତି କଳାକନା ବୁଲାଇବା ପରେ କମିସନରେଟ ପୁଲିସର ଚେତା ପଶିଛି। ମୂର୍ତ୍ତି ଚୋରି ରୋକିବା ଲାଗି ଡିସିପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ସ୍କ୍ବାର୍ଡ଼ ନିଯୁକ୍ତ କରାଯାଇଛି। ବାଳକାଟି ଫାଣ୍ଡି ଅଧିକାରୀ ମମତାଜ ଅଲ୍ଲୀ ଖାନ ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ଦୁଲ୍ତା ଦେବୀ ମନ୍ଦିର, ସରକଣା ମହାବୀର ମନ୍ଦିର , ଭଗବତୀ ମନ୍ଦିର ଓ ବଟେଶ୍ବର ମନ୍ଦିର ସୁରକ୍ଷା ନେଇ ଆଜି ମନ୍ଦିର ପରିଚାଳନା କମିଟି ନିକଟରେ ପହଞ୍ଚି ସତର୍କ କରାଇଥିଲେ। ପୁରୁଣା ମନ୍ଦିର ନିକଟରେ ବିଳମ୍ବିତ ପ୍ରହରରେ ରାତି ପାଟ୍ରୋଲିଂ କଡ଼ାକଡ଼ି କରାଯିବା ପାଇଁ ପିସିଆର ଭ୍ୟାନ କର୍ମଚାରୀଙ୍କୁ କୁହାଯାଇଥିବା ଜଣାପଡ଼ିଛି। ବଡ଼ କଥା ହେଲା ଚୋରି ଯାଇଥିବା ଗୋଟିଏ ବି ମନ୍ଦିର ଭିତରେ କିମ୍ବା ବାହାରେ ସିସି କ୍ୟାମେରା ଲାଗି ନଥିବାରୁ ମୂର୍ତ୍ତି ଚୋରଙ୍କ ପାଖରେ ପହଞ୍ଚିବା ପୁଲିସ ପାଇଁ ପୂରା କଷ୍ଟକର ହୋଇପଡ଼ିଛି। ତେଣୁ ଗତ ୫ ମାସ ଭିତରେ ଚୋରିଯାଇଥିବା ୫ଟି ପ୍ରାଚୀନ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି ଘଟଣାରେ ପୁଲିସକୁ ଏଯାଏ କିଛି ବି ସୁରାକ ମିଳିପାରି ନାହିଁ। ଚିରାଚରିତ ଢଙ୍ଗରେ ପୁଲିସ କେବଳ ମାମଲା ରୁଜୁ କରି ଚୂପ ବସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ମୂର୍ତ୍ତି ଚୋର ରାକେଟକୁ ଠାବ କରିବା ନେଇ ଟାୱାର ଡମ୍ଫି ବ୍ୟବସ୍ଥା ହେଉଛି ଏକମାତ୍ର ଭରସାଯୋଗ୍ୟ ପଦକ୍ଷେପ। ଟାୱାର ଡମ୍ଫି ଦ୍ବାରା ଏକ ସମୟରେ ବିଭିନ୍ନ ଟାୱାର ଅଞ୍ଚଳରେ ଚୋରି ବେଳେ ସକ୍ରିୟ ଥିବା ହଜାର ହଜାର ମୋବାଇଲରୁ ସନ୍ଦିଗ୍ଧ ଲୁଟେରାଙ୍କୁ ଚିହ୍ନଟ କରିବା ଯଦିଓ କଷ୍ଟସାଧ୍ୟ ବ୍ୟାପାର ତଥାପି ଲୁଟେରା ମୋବାଇଲ ଫୋନ ବ୍ୟବହାର କରିଥିଲେ କଲ ଡିଟେଲସ ରିପୋର୍ଟ ଆଧାରରେ ଧରିବା ଏକ ପ୍ରମୁଖ ଉପାୟ। ଏହି ବ୍ୟବସ୍ଥା ମାଧ୍ୟମରେ ସେଦିନ ବିଳମ୍ବିତ ରାତିର କେଉଁ ଟାୱାରରୁ କେଉଁ ମୋବାଇଲ ଫୋନକୁ କଲ ଯାଇଥିବା ସେଥି ମଧ୍ୟରେ ସନ୍ଦିଗ୍ଧ ଲୁଟେରାଙ୍କୁ ଚିହ୍ନଟ କରି ହେବ।
ସେହିପରି ବାହାର ନମ୍ବର ଏବଂ ସନ୍ଦିଗ୍ଧ ଲୁଟେରାଙ୍କ ସଂପର୍କରେ ପୁଲିସକୁ ସୁରାକ ମିଳିଯିବାର ବହୁତ ସମ୍ଭାବନା ରହିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଗତକାଲି ଘଟଣାସ୍ଥଳକୁ ତଦନ୍ତରେ ଆସିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ପାୱାର ଡମ୍ଫିଂ ନେଇ ଦାୟିତ୍ବରେ ଥିବା ଉକ୍ତ ଟିମକୁ ଯୋଗାଯୋଗ କରିଥିଲେ। ସେହିପରି ଗତାନୁଗତିକ ଭାବେ ପୁଲିସ ସ୍ଥାନୀୟ ସନ୍ଦିଗ୍ଧ ଲୁଟେରାଙ୍କ ମଧ୍ୟରୁ ଆଜି ସ୍ପେସାଲ ସ୍କ୍ବାର୍ଡ଼ କିଛି ଲୁଟେରାଙ୍କ ସଂପର୍କରେ ବାଲିଅନ୍ତା ଥାନା ପୁଲିସ ଠାରୁ ତଥ୍ୟ ସଂଗ୍ରହ କରିଛି। ରାଜ୍ୟର ବିଭିନ୍ନ ଥାନାକୁ ମୂର୍ତ୍ତି ଚୋରିକରି ଧରାପଡ଼ିଥିବା ମୂର୍ତ୍ତି ଚୋରଙ୍କ ସଂପର୍କରେ ତଥ୍ୟ ମଗାଯାଇଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ପିପିଲି ଥାନା ଅଞ୍ଚଳର ଜଣେ ସନ୍ଦିଗ୍ଧ ଲୁଟେରାକୁ ଧରିବା ପାଇଁ ପୁଲିସ ଚଢ଼ଉ କରି ଖାଲି ହାତରେ ଫେରିଥିବା ଜଣାପଡ଼ିଛି।