ଆଖୁ ଶାଳ, ଟ୍ରାକ୍ଟର ଜଳିଗଲା ବୋଲି ବୃଦ୍ଧଙ୍କୁ ପିଟି ପିଟି ହତ୍ୟା!

ନୟାଗଡ଼: ନୟାଗଡ଼ ସଦର ଥାନା ଅଧୀନ ନୂଆଗାଁ ବ୍ଲକ୍‌ର ଚାହାଳି ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ଆସିଛି। ଉକ୍ତ ଗ୍ରାମର ମାଟିଆ ବେହେରା ଆଜି ସକାଳେ ନିଜ ଜମି ଅଳିଆ ହୋଇପଡ଼ିଥିବାରୁ ସେଥିରେ ନିଆଁ ଲଗାଉଥିଲେ। କୌଣସି କାରଣରୁ ଏହି ନିଆଁ ନିକଟସ୍ଥ ଅନ୍ୟ ଜଣେ ବ୍ୟକ୍ତିଙ୍କ ଆଖୁଶାଳ ସମେତ ଏକ ଟ୍ରାକ୍ଟର୍‌ରେ ଲାଗିଯାଇଥିଲା। ଫଳରେ ସଂପୃକ୍ତ ଆଖୁଶାଳ ଓ ଟ୍ରାକ୍ଟର୍‌ ଜଳିଯାଇଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲା। ତେବେ ଏହି ଘଟଣା ନେଇ ମାଟିଆଙ୍କୁ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ଗାଳିଗୁଲଜ କରିଥିଲେ। ଏହା ପରେ ମାଟିଆଙ୍କର କୌଣସି ପତ୍ତା ମିଳିନଥିଲା। ପରିବାର ଲୋକ ମାଟିଆଙ୍କୁ ଖୋଜାଖୋଜି କରିବା ପରେ ସ୍ଥାନୀୟ ଏକ ଜଙ୍ଗଲ ନିକଟରୁ ସନ୍ଧ୍ୟାରେ ତାଙ୍କ ଶବ ଉଦ୍ଧାର ହୋଇଛି। ଏଭଳି ସ୍ଥିତିରେ ତାଙ୍କ ବାପାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ପୁଅ କୃଷ୍ଣଚନ୍ଦ୍ର ସଦର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ସଦର ଥାନା ପୁଲିସ ଘଟଣାସ୍ଥଳକୁ ଯାଉଥିବା ଆଇଆଇସି ଶରତ ଚନ୍ଦ୍ର ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର