ଢେଙ୍କାନାଳ : ଢେଙ୍କାନାଳ କୋଭିଡ୍ ହସ୍ପିଟାଲ୍ରେ ଆଜି ମଧ୍ୟାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ହସ୍ପିଟାଲ୍ର ଏକ କୋଠରିରେ ଚିକିତ୍ସାଧୀନ ଜଣେ କରୋନା ଆକ୍ରାନ୍ତ ବୃଦ୍ଧା ସାଲାଇନ୍ ପାଇପ୍ ଦ୍ବାରା ସିଲିଂ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ସଦର ବ୍ଲକ୍ ବିରାଡ଼ିଆ ଗ୍ରାମର ବାସନ୍ତୀ ନାଏକ (୬୦) ବୋଲି ଚିହ୍ନଟ ହୋଇଛି । ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନଥିଲେ ହେଁ କରୋନାଜନିତ ମାନସିକ ଚାପ ହିଁ ସେ ଏହିଭଳି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି।
ସୂଚନା ଅନୁଯାୟୀ, କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତ ୨୯ ତାରିଖରେ ବାସନ୍ତୀ ଢେଙ୍କାନାଳ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ସେ ରହୁଥିବା କୋଠରିରେ ଅନ୍ୟ ୪ ଜଣ ରୋଗୀ ମଧ୍ୟ ରହୁଥିଲେ । ଗତ ୩୦ ତାରିଖରେ ପରିବାର ଲୋକ ବାସନ୍ତୀଙ୍କୁ ଭେଟିବାକୁ ଆସିଥିଲେ । ତା’ପର ଠାରୁ କୌଣସି କାରଣରୁ ବାସନ୍ତୀ ଘୋର ମନସ୍ତାପ ମଧ୍ୟରେ ରହୁଥିଲେ । ଆଜି ମଧ୍ୟାହ୍ନରେ ଡାକ୍ତର ୱାର୍ଡ ପରିକ୍ରମା ଶେଷ କରିବା ପରେ ବାସନ୍ତୀ ହଠାତ୍ ସାଲାଇନ୍ ପାଇପ୍ ସଂଗ୍ରହ କରି ଦଉଡ଼ି ପରି ଏକାଠି କରିଥିଲେ। ପରେ ଅନ୍ୟ ଏକ ଖାଲି କୋଠରିରେ ସାଲାଇନ୍ ପାଇପ୍ ଦ୍ବାରା ଫ୍ୟାନ୍ରେ ଝୁଲି ପଡ଼ିଥିଲେ । ବାସନ୍ତୀ ଆତ୍ମହତ୍ୟା କରୁଥିବା ଦେଖି ଜଣେ ରୋଗୀ ଦେଖି ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଖବର ଦେଇଥିଲେ । ଦାୟିତ୍ୱରେ ଥିବା ଡାକ୍ତର ତୁରନ୍ତ ସେଠରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ପ୍ରାରମ୍ଭିକ ଚିକିତ୍ସା କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି କୋଭିଡ୍ ହସ୍ପିଟାଲ୍ ଦାୟିତ୍ୱରେ ଥିବା ଡାକ୍ତର ଏସ୍.ଏନ୍, ମହାପାତ୍ର ସୂଚନା ଦେଇଛନ୍ତି।