ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

ପୁରୁଷୋତ୍ତମପୁର/ହିଞ୍ଜିଳିକାଟୁ: ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ବିଚ୍‌ ରାସ୍ତାରେ କାତିରେ ୬ ଚୋଟ ପକାଇ ନିର୍ମମ ହତ୍ୟା ଘଟଣା ଆଲୋଡ଼ନ ଖେଲାଇ ଦେଇଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଓ ହିଞ୍ଜିଳିକାଟୁ ଥାନା ଧୋବାଡ଼ି ପାଟପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୁଣି ସନ୍ଦେହରେ ଗ୍ରାମର କୃଷ୍ଣ ପ୍ରଧାନ (୬୦)ଙ୍କୁ ମୁରଲୀ ପ୍ରଧାନ କାତି‌ରେ ହାଣି ହତ୍ୟା କରିବା ପରେ ହିଞ୍ଜିଳିକାଟୁ ଥାନାରେ ଆତ୍ମସମର୍ପଣ କରିଛି। ପୁଲିସ ତା’ଠାରୁ କାତି ଜବତ କରିଥିବା ସହ ଏନେଇ କେସ ନମ୍ବର ୧୪୨ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।
ମୁରଲୀ ନିଜ ସବୁ ଦୋଷ ସ୍ବୀକାର କରି କହିଛି, ୯ ବର୍ଷ ତଳେ କୃଷ୍ଣ ତା’ର ବିବାହିତା ଝିଅକୁ ଗୁଣିଗାରେଡି କରିଥିଲା। ଫଳରେ ଝିଅର ମୃତ୍ୟୁ ହୋଇଥିଲା। ଏହା ପରଠୁ ସେ କୃଷ୍ଣଙ୍କୁ ହତ୍ୟା କରିବ ବୋଲି ପଣ କରିଥିଲା। ଆଉ ଝିଅର ମୃତ୍ୟୁ ପରେ ‌ଗାଁ ଛାଡ଼ି ଅନ୍ୟ ଗାଁରେ ଭଡ଼ା ଘରେ ରହୁଥିଲା। କିଛି ଦିନ ତଳେ ମୁରଲୀର ପତ୍ନୀର ଦେହ ଅସୁସ୍ଥ ହେବାରୁ କୃଷ୍ଣ ହିଁ ଗୁଣି ଗାରେଡି କରିଥିବା ସେ ସନ୍ଦେହ କରିଥିଲା। ଆଉ କୃଷ୍ଣଚନ୍ଦ୍ରଙ୍କୁ କେମିତି ହେଲେ ହତ୍ୟା କରିବ ବୋଲି ନିଷ୍ପତ୍ତି ନେଇଥିଲା।

ଆଜି ଭୋରରେ କୃଷ୍ଣ ଗାଁଠୁ ଅଢେଇ କିଲୋମିଟର ଦୂର ସୋରିବାଳା ବିଲକୁ ଧାନ ବୁଣିବାକୁ ଯାଇଥିବା ବେଳେ ମୁରଲୀ ଜାଣି ସେଠାରେ ପହଞ୍ଚି ଅମରି ଲଟା ଭିତରେ ଲୁଚି ରହିଥିଲା। ଧାନବୁଣା ସାରି କୃଷ୍ଣ ଘରକୁ ‌ଫେରୁଥିବା ବେଳେ ରାସ୍ତା ଉପରେ ହିଁ ତାଙ୍କୁ ଅଟକାଇ କାତିରେ ଶରୀରର ବିଭିନ୍ନ ଭାଗକୁ ୬ ଚୋଟ ପକାଇଥିଲା। ଶେଷ ଚୋଟ ବେକରେ ପକାଇବାରୁ କୃଷ୍ଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ସମ୍ବନ୍ଧିତ ଖବର