କରୋନା ମାଡ଼ରେ ଡ଼ହଳବିକଳ, ପଞ୍ଚାୟତକୁ ଚାଉଳ ନେବାକୁ ଆସି ବୃଦ୍ଧଙ୍କ ଗଲା ଜୀବନ

ରାଇରଙ୍ଗପୁର: କରୋନା ମାଡ଼ରେ ଜନଜୀବନ ଡ଼ହଳବିକଳ ହେଉଥିବା ବେଳେ ସବୁଠୁ ବଡ଼ ସମସ୍ୟା ଉପୁଜାଉଛି ଖାଦ୍ୟ ନିରାପତ୍ତା ଯୋଜନାରେ ଚାଉଳ ବଣ୍ଟନ ବ୍ୟବସ୍ଥା। ଗ୍ରାମ ପଞ୍ଚାୟତମାନଙ୍କରେ ହିତାଧିକାରୀଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ ଓ ସାମାଜିକ ନିରାପତ୍ତା ଯୋଜନାରେ ଭତ୍ତା ବଣ୍ଟନରେ ଶୃଙ୍ଖଳା ରହୁନଥିବା ବେଳେ ପ୍ରଶାସନର ଅବ୍ୟବସ୍ଥା ପାଇଁ ନିରିହ ଜୀବନ ଟଳି ପଡ଼ୁଛି। ଆଜି ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଅନ୍ତର୍ଗତ ଯଶିପୁର ପଞ୍ଚାୟତର ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରାଯାଉଥିବା ବେଳେ ଧୋବାଡିଆ ଗ୍ରାମର ନୀଳମଣି ମାଟିଆ(୬୨) ପୂର୍ବାହ୍ନ ୧୦ଟା ସମୟରେ ଆସିଥିଲେ। ପ୍ରବଳ ଖରା ସାଙ୍ଗକୁ ଗ୍ରାମ ପଞ୍ଚାୟତରେ ଆଶ୍ରୟ ନେବାର କୌଣସି ବ୍ୟବସ୍ଥା ନଥିବାରୁ ଅପରାହ୍ଣ ଠିକ୍ ୧୨.୩୦ ମିନିଟ ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟରେ ଟଳି ପଡ଼ିଥିଲେ। ତଳେ ପଡ଼ି ଯିବା ପରେ ପାଖରେ ଥିବା ଅନ୍ୟ ‌ଲୋକମାନେ ତୁରନ୍ତ ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଆଶୁ ଚିକିତ୍ସା କରିଥିଲେ।  ପରେ କରଂଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିବା ପରେ ସେଠାରୁ କେନ୍ଦୁଝର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ କରୋନା ବିଶ୍ବମହାମାରୀର ମୁକାବିଲା ପାଇଁ ପ୍ରଶାସନ ବୟସ୍କ ଓ ହିତାଧିକାରୀ ଦ୍ବାରକୁ ଜରୁରୀ ସେବା ପହଞ୍ଚାଇବାର ଡିଣ୍ଡିମ ପିଟୁଥିବା ବେଳେ ନୀଳମଣିଙ୍କ ଭଳି ବୃଦ୍ଧ ହିତାଧିକାରୀଙ୍କୁ ପଞ୍ଚାୟତ ବାରଣ୍ଡାକୁ ବାରମ୍ବାର ଦୌଡ଼ିବାକୁ କହିଁକି ପଡ଼ିଲା ସେନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ଏବାବଦରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସତୀଶ ଚନ୍ଦ୍ର ମହାନ୍ତଙ୍କୁ ପଚାରିବାରୁ ହିତାଧିକାରୀଙ୍କୁ ଚାଉଳ ଓ ଭତ୍ତା ଆଦି ସେମାନଙ୍କ ଘର ପାଖ ସ୍କୁଲରେ ବାଣ୍ଟିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଯୋଗାଣ ସହାୟିକାଙ୍କ ମନୋମୁଖୀ କାର୍ଯ୍ୟକଳାପ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ସମସ୍ତ ହିତାଧିକାରୀ ଚାଉଳ ନେବାକୁ ଆସି ଅଯଥା ହଇରାଣ ହେଉଛନ୍ତି ବୋଲି କହିଥିଲେ। ଏନେଇ ଯଶିପୁର ବିଡିଓ ଅନୁପମା ଘୋଷଙ୍କୁ ବୁଝିବାରୁ ବୟସ୍କ ହିତାଧିକାରୀଙ୍କ ଘରେ ଜରୁରୀ ସେବା ପହଞ୍ଚାଇବାକୁ ନିର୍ଦ୍ଦେଶ ଥିବା ବେଳେ ଏହାକୁ ପାଳନ କରାନଥିବା ଘଟଣାର ତଦନ୍ତ କରିବେ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର