ପ୍ରାଣ ହରାଇଲେ ଅସହାୟ ବୃଦ୍ଧ : ୨୦ ଘଣ୍ଟା ପଡ଼ିରହିଲା ଶବ

କେନ୍ଦ୍ରାପଡା : ସରକାରୀ ଯୋଜନାରୁ ବଞ୍ଚତ ଥିଲେ। ଚିକିତ୍ସା ପାଇଁ ବି ପଇସା ପାଉନଥିଲେ। ଏପରି ଅବସ୍ଥାରେ ଜଣେ ବୃଦ୍ଧ ପ୍ରାଣ ହରାଇଛନ୍ତି। ସ୍ଥାନୀୟ ଲୋକମାନେ ଏହାକୁ ଅନାହାର ମୃତ୍ୟୁର ଆଖ୍ୟା ଦେଇଛନ୍ତି। ଏହାର ପ୍ରତିବାଦରେ ବୃଦ୍ଧଙ୍କ ମୃତଦେହକୁ ରଖି ଆନ୍ଦୋଳନ କରିଥିଲେ। ପାଖାପାଖି ୨୦ ଘଣ୍ଟା ଧରି ମୃତଦେହ ପଡ଼ିଥିଲା। ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ କରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ ସାନଜରିଆରେ ଏହି ଘଟଣା ଘଟିଛି। ଏହି ଗ୍ରାମର ବୃଦ୍ଧ ହେଉଛନ୍ତି ଉତ୍ତମ ରାଉତ(୬୪)। ତାଙ୍କ ପରିବାର କହିଲେ ପତ୍ନୀ କମଳା, ତିନି ଝିଅ ଓ ଗୋଟିଏ ପୁଅ। ଉତ୍ତମ ହେଉଛନ୍ତି ଜଣେ ଭୂମିହୀନ ଓ ଦିନମଜୁରିଆ। ପତ୍ନୀ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବାବେଳେ ସେ ପକ୍ଷାଘାତ ଅସୁସ୍ଥ ଥିଲେ। ୩ ଦିନ ତଳେ ଉତ୍ତମଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। କାଲି ସେ ଘରକୁ ଫେରିଥିଲେ। ମାତ୍ର, ରାତି ପ୍ରାୟ ୯ଟା ସମୟରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତମଙ୍କ ଶବକୁ ରଖି ଆନ୍ଦୋଳନ କରିଥିଲେ। ଆନ୍ଦୋଳନରେ ସାମିଲ୍‌ ହୋଇଥିବା ସିପିଆଇଏମ୍‌ ଜିଲ୍ଲା ସମ୍ପାଦକ ଗୟାଧର ଧଳ, କୃଷକ ସଭାର ଜିଲ୍ଲା ସଭାପତି ଉମେଶ ଚନ୍ଦ୍ର ସିଂହ, ପଟ୍ଟାମୁଣ୍ଡାଇ ସିପିଆଇଏମ୍‌ ନେତା ବାବାଜୀ ପରିଡ଼ା ପ୍ରମୁଖ ଅଭିଯୋଗ କରିଥିଲେ ଯେ, ଉତ୍ତମଙ୍କ ପରିବାର ଲୋକ ସରକାରୀ ଯୋଜନାରୁ ବଞ୍ଚତ ହୋଇଆସୁଛନ୍ତି। ଅନ୍ତ୍ୟୋଦୟ ଯୋଜନାର ହିତାଧିକାରୀ ହୋଇଥିଲେ ହେଁ ଗତ କିଛି ମାସ ହେଲା ତାଙ୍କୁ ହିତାଧିକାରୀ ତାଲିକାରୁ ବାଦ୍‌ ଦିଆଯାଇଥିଲା। ଯେଉଁଥିପାଇଁ ସେମାନେ ଭୋକଉପାସରେ କାଳାତିପାତ କରୁଥିଲେ।

ଏଭଳି ସ୍ଥିତିରେ ଉତ୍ତମଙ୍କ ମତ୍ୟୁପାଇଁ ଦାୟୀ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ, କ୍ୟାନସର ପୀଡ଼ିତା ପତ୍ନୀଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ପାଇଁ ଲୋକମାନେ ଦାବି କରିଥିଲେ। ଜିଲ୍ଲାପ୍ରଶାସନ ତରଫରୁ କୌଣସି ଅଧିକାରୀ ନ ପହଁଚିବା ପର୍ଯ୍ୟନ୍ତ ମୃତଦେହ ଉଠିବ ନାହିଁ ବୋଲି ରୋକ୍‌ଠୋକ୍‌ ଜଣାଇଥିଲେ ।

ଆଜି ରାତି ୭ଟା ପର୍ଯ୍ୟନ୍ତ ପାଖାପାଖି ୨୦ ଘଣ୍ଟା ଧରି ମୃତଦେହ ପଡ଼ି ରହିଥିଲା। ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ବିଡ଼ିଓ ସୁଧୀର କୁମାର ସିଂହ, ତହସିଲଦାର ସରୋଜ ସ୍ୱାଇଁ ପହଁଚି ଲୋକମାନଙ୍କୁ ବୁଝାଶୁଝା କରିଥିଲେ । ରେଡକ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ଏଥିସହିତ, ପରିବାରମଙ୍ଗଳ ଯୋଜନାରେ ୨୦ ହଜାର ଟଙ୍କା ସହାୟତା, ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ପକ୍କା ଘର, ଉତ୍ତମଙ୍କ ପତ୍ନୀଙ୍କୁ ବିଧବା ଭତ୍ତା ପ୍ରଦାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ, ଲୋକମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ ଏବଂ ଗାଁ ମଣାଣିରେ ଶବ ସତ୍କାର କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ, ସୁନାକର ବେହେରା, ନିରାକାର ନାୟକ, ବିଜୟ ଦାସ, ଦିଲୀପ ସୂତାର, ସୁକାନ୍ତ ପ୍ରଧାନ, ବିଜୟ ଦାସ, ସୁଦର୍ଶନ ମଲ୍ଲିକ, ସହଦେବ ଦାସ ପ୍ରମୁଖ ଆନ୍ଦୋଳନରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର