ପୋଲସରା : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ପତ୍ନୀଙ୍କୁ ଟ୍ରଲି (ପଟାରିକ୍ସା)ରେ ବସାଇ ବ୍ୟାଙ୍କ୍କୁ ଯାଉଥିଲେ। କିନ୍ତୁ, ବିଧିର ବିଧାନ ଅଲଗା ଥିଲା। ହଠାତ୍ ଗାଡ଼ି ଧକ୍କାରେ ୭୦ ବର୍ଷୀୟ ବୃଦ୍ଧଙ୍କ ଜୀବନଦୀପ ଲିଭିଗଲା। ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଧୀନ ପାଟଣାପଦର ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ମୃତ ବ୍ୟକ୍ତି ହେଉଛନ୍ତି ସୁଦୁର। ଟ୍ରଲି ଚଳାଇ ପରିବାର ପ୍ରତିପୋଷଣ କରୁଥିବା ଦେଉଳପେଡ଼ି ଗ୍ରାମର ବାସିନ୍ଦା ସୁଦୁରୁ ଗତକାଲି ପତ୍ନୀଙ୍କୁ ଟ୍ରଲିରେ ବସାଇ ଭତ୍ତା ଆଣିବା ଲାଗି ବ୍ୟାଙ୍କ୍କୁ ଯାଉଥିଲେ। ଏହିସମୟରେ ପାଟଣାପଦର ଛକରେ ଏକ ଗାଡ଼ି ସେମାନଙ୍କୁ ଧକ୍କା ଦେଇ ପଳାଇଥିଲା। ଫଳରେ, ବୃଦ୍ଧ ଦମ୍ପତି ଛିଟିକି ପଡ଼ିଯିବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ପୋଲସରା ଡାକ୍ତରଖାନାକୁ ଆଣିଥିଲେ। ସୁଦୁରୁଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ଏବଂ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ, ଚିକିତ୍ସାଧୀନ ଅବସ୍ଥାରେ ସୁଦୁରୁଙ୍କ ଆଜି ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୋଲସରା ପୁଲିସ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f-1.jpg)