ସାଇକେଲ ମରାମତି ପାଇଁ ଆସୁଥିବା ବେଳେ ବୃଦ୍ଧଙ୍କ ଉପରେ ଚଢ଼ିଗଲା ଡମ୍ପର୍: ଘଟଣାସ୍ଥଳରେ ମୃତ୍ୟୁ, ବାଲେଶ୍ୱର-ଚାନ୍ଦିପୁର ରାସ୍ତା ଅବରୋଧ

ବାଲେଶ୍ୱର/ଚାନ୍ଦିପୁର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ନୂଆନଈ ଛକ ନିକଟରେ ଆଜି ସକାଳେ ଦୁର୍ଘଟଣା ଘଟିଛି। ଜଣେ ବୟସ୍କ ବ୍ୟକ୍ତି ସାଇକଲରେ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି।

ମୃତକ ଜଣକ ହେଉଛନ୍ତି ସୁନହଟ ଅଞ୍ଚଳର ମହେନ୍ଦ୍ର ଦାସ(୭୫)। ନିଜ ସାଇକେଲ ମରାମତି କରିବା ପାଇଁ ସେ ଆଜି ସକାଳେ ଛକକୁ ଆସିଥିଲେ। ମରାମତି ସରିବା ପରେ ଘରକୁ ଯିବା ପାଇଁ ବାହାରି ଥିବାବେଳେ ଚାନ୍ଦିପୁରରୁ ବାଲେଶ୍ଵର ଆଡ଼କୁ ଯାଉଥିବା ଡମ୍ପର(ଓଆର-୦୧ଜେ-୬୯୬୪) ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଡମ୍ପର ଚାଳକ ଦୁର୍ଘଟଣା ପୂର୍ବରୁ ନୂଆନଈ ଠାରେ ଥିବା ଦେଶୀ ମଦଭାଟିରୁ ମଦପିଇ ଗାଡ଼ି ଚଳାଇବା ଫଳରେ ଭାରସାମ୍ୟ ହରାଇ ଏପରି ଦୁର୍ଘଟଣା ଘଟାଇ ଥିବା ଅଭିଯୋଗରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ। ମୃତ ବୟସ୍କ ବ୍ୟକ୍ତିଙ୍କ ଶବ ରାସ୍ତାରେ ରଖି ଆନ୍ଦୋଳନ କରାଯାଇଥିଲା।ଲୋକମାନେ ଡ୍ରାଇଭରକୁ ଅଟକ ରଖି ମାରଧାର କରିବାରୁ ଚାନ୍ଦିପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଥାନାକୁ ନେଇଥିଲେ। ତେବେ ଘଟଣା ଘଟିବାର ଅଢେ଼ଇ ଘଣ୍ଟା ଯାଏ ଏହି ରାସ୍ତାରେ ଉତ୍ତେଜନା ଲାଗିରହିବା ସହ ମାତ୍ର ଏକ କିମି ଦୂରରେ ଥିବା ଚାନ୍ଦିପୁର ଥାନା ପୁଲିସର ବା ପ୍ରଶାସନର କୌଣସି ଅଧିକାରୀଙ୍କର ଦେଖା ମିଳିନଥିଲା। ଫଳରେ ରାସ୍ତାର ଉଭୟପାର୍ଶ୍ୱରେ ଶହ ଶହ ଯାନବାହନ ଚଳାଚଳ ବନ୍ଦ ରହିଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର