ଭାଲୁ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

ହରିଚନ୍ଦନପୁର : ଭାଲୁ ଆକ୍ରମଣରେ ହରିଚନ୍ଦନପୁର ବ୍ଲକ୍ ପିଠାଗୋଳା ପଞ୍ଚାୟତ ଦୁର୍ଗମ ମରାଗୋଳା ଗ୍ରାମର ସ୍ବର୍ଗତ ପେଟା ଜୁଆଙ୍ଗଙ୍କ ପତ୍ନୀ ମାସାରି ଜୁଆଙ୍ଗ (୬୨)ଙ୍କର ଗୁରୁବାର ଦିନ ମୃତ୍ୟୁ ଘଟିଛି। ତେବେ ରାସ୍ତା ନଥିବାରୁ ଭାଲୁ ଆକ୍ରମଣର ଗୁରୁତର ହୋଇପଡ଼ିଥିବା ମାସାରିଙ୍କୁ ଡାକ୍ତରଖାନା ନେବାକୁ ପ୍ରାୟ ୪ ଘଣ୍ଟା ବିଳମ୍ବ ଘଟିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ମାସାରି ଗୁରୁବାର ସକାଳେ ବିଲରେ କାମ କରିବାକୁ ଯାଇଥିବା ବେଳେ ଏକ ଭାଲୁ ଆକ୍ରମଣ କରିଥିଲା। ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଭଲ ରାସ୍ତା ନଥିବାରୁ ମାସାରିଙ୍କୁ ଦୁର୍ଗମ ମରାଗୋଳାରୁ ପିଠାଗୋଳା ଗ୍ରାମ ପର୍ଯ୍ୟନ୍ତ ୩ କିଲୋମିଟର ଭାରରେ ବୋହି ନେବାକୁ ପଡ଼ିଥିଲା। ସେଠାରୁ ଆମ୍ବୁଲାନ୍ସରେ ହରିଚନ୍ଦନପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ତେବେ ସକାଳ ୧୦ଟା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ ହେଁ ସେ ହରିଚନ୍ଦନପୁର ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଅପରାହ୍ଣ ପ୍ରାୟ ୨ଟା ବାଜି ଯାଇଥିଲା। ଦୀର୍ଘ ୪ ଘଣ୍ଟା ଯନ୍ତ୍ରଣାରେ ଛଟପଟ ହେବା ପରେ ଡାକ୍ତରଖାନାରେ ପହଞ୍ଚିଥିଲେ। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମକୁ ସବୁଦିନିଆ ରାସ୍ତା ନଥିବାରୁ ବିଳମ୍ବରେ  ମାସାରି ଡାକ୍ତରଖାନାରେ ପହଞ୍ଚିବା ଏବଂ ତାଙ୍କର ମୃତ୍ୟୁ ଘଟିବାକୁ ସ୍ଥାନୀୟ ଅଧିବାସୀ ସହଜରେ ଗ୍ରହଣ କରିପାରି ନାହାନ୍ତି। ରାସ୍ତା ନଥିବାରୁ ଜୀବନ ଚାଲିଗଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର