ଜମିବାଡ଼ି ବିବାଦ, ଠେଙ୍ଗା ମାଡ଼ରେ ବୃଦ୍ଧ ମୃତ

ସୁକିନ୍ଦା : ଜମିବାଡ଼ି ବିବାଦରୁ ସୁକିନ୍ଦା ଥାନା ଅନ୍ତର୍ଗତ ରାଜଗୋଲା ଗ୍ରାମରେ ଜଣେ ବୃଦ୍ଧଙ୍କ ଠେଙ୍ଗା ମାଡ଼ରେ ଅନ୍ୟ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ ଶିଶିର ନାଟିଆ। ସେହି ଗ୍ରାମର ମିଞ୍ଜା ଖିଲାରଙ୍କ ଠେଙ୍ଗା ମାଡ଼ରେ ଶିଶିରଙ୍କର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ହୋଇଛି। ରାଜଗୋଲା ଗ୍ରାମର ମଙ୍ଗଳା ସାହିରେ ଦୁଇଜଣଙ୍କ ଘର। ସେମାନଙ୍କ ମଧ୍ୟରେ ବର୍ଷବର୍ଷ ଧରି ଜମିବାଡ଼ି ବିବାଦ ରହିଥିଲା। ଏହାକୁ ନେଇ ସୁକିନ୍ଦା ଥାନାରେ ପୂର୍ବରୁ ଅଭିଯୋଗ ହୋଇଥିବା ବେଳେ ୧୦୭ ମାମଲା ମଧ୍ୟ ରୁଜୁ ହୋଇଥିଲା। ଗୁରୁବାର ସକାଳେ ଶିଶିର ନାଟିଆ ଗାଁମୁଣ୍ଡ ପୋଖରୀକୁ ଶୌଚ ହେବା ନିମନ୍ତେ ଯାଇଥିଲେ। ଏହି ସମୟରେ ମିଞ୍ଜା ଖିଲାର ସେଠାରେ ପହଞ୍ଚି ଏକ ଠେଙ୍ଗାରେ‌ ଶିଶିରଙ୍କୁ ନିସ୍ତୁକ ପିଟିଥିଲେ। ଠେଙ୍ଗା ପାହାରରେ ଶିଶିର ଟଳି ପଡ଼ିଥିଲେ।

କିଛି ଦୂରରେ ଥିବା କେତେକ ଗ୍ରାମବାସୀ ଶିଶିରଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଅଭିଯୁକ୍ତ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଖବର ପାଇ ଶିଶିରଙ୍କ ପୁଅମାନେ ପହଞ୍ଚି ବାପାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଳିଙ୍ଗନଗରସ୍ଥିତ ଟାଟା ମେଡିକାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅପରାହ୍‌ଣରେ ଏନେଇ ସୁକିନ୍ଦା ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ଘଟଣାସ୍ଥଳ ଓ ଟାଟା ମେଡ଼ିକାରେ ପହଞ୍ଚି ତଦନ୍ତ କରିଥିବା ଥାନା ଅଧିକାରୀ ଶିବଚରଣ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର