ଝିଅ ଘରକୁ ବୁଲିବା ପାଇଁ ଆସିଥିଲେ ବାପା, ପୋଖରୀରେ ବୁଡ଼ି ମୃତ୍ୟୁ

ଉମରକୋଟ: ନବରଂଗପୁର ଜିଲ୍ଲା ଉମରକୋଟ ବ୍ଲକ ବେହେଡା ପଞ୍ଚାୟତ ଅଧିନ ନାଙ୍ଗାଗୁଡା ଗ୍ରାମର ଏକ ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଲକ୍ଷମୁ ରାମ ଗଣ୍ଡ (୬୬) କୁର୍ସି ପଞ୍ଚାୟତର ମାଲପାରା ଗ୍ରାମର ନିବାସୀ। ଲଖମୁ ୯ ତାରିଖ ସକାଳ ୧୧ ଟା ସମୟରେ ନିଜ ଝିଅ ସମ୍ଭାରୀ ଗଣ୍ଡଙ୍କ ବେହେଡାସ୍ଥିତ ନାଙ୍ଗାଗୁଡା ଗ୍ରାମକୁ ବୁଲି ଆସିଥିଲେ। ସେ ୧୦ ତାରିଖ ଦିନ ପୂର୍ବାହ୍ଣ ୧୧ଟା ସମୟରେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଘରକୁ ଫେରିବା ବିଳମ୍ବ ହେବାରୁ ସମ୍ପର୍କୀୟମାନେ ଖୋଜାଖୋଜି କରିଥିଲେ।

ପୋଖରୀ ହିଡ ଉପରେ ବୃଦ୍ଧଙ୍କ ଲୁଗା ପଟା ରହିଥିଲା। କିନ୍ତୁ ଲକ୍ଷମୁଙ୍କ କୌଣସି ସନ୍ଧାନ ମିଳି ପାରି ନଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଁ ଅଗ୍ନିଶମ ବାହିନୀ ପୋଖରୀକୁ ପହଞ୍ଚି ଖୋଜାଖୋଜି କରି ଖାଲି ହାତରେ ଫେରିଥିଲେ। ଉକ୍ତ ବୃଦ୍ଧଙ୍କ ମୃତଦେହ ଆଜି ସକାଳୁ ପୋଖରୀରେ ଭାସୁଥିବା ପରିବାର ଲୋକେ ଦେଖିଥିଲେ।ଖବର ପାଇ ଉମରକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ମୃତ ଲକ୍ଷମୁ ରାମ ଗଣ୍ଡଙ୍କ ପୁଅ ଅମର ଲାଲ ଗଣ୍ଡ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଉମରକୋଟ ଥାନା ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର