ନବରଙ୍ଗପୁର: ଗତ ୧୪ ତାରିଖ ଦିନ ଭତ୍ତା ଆଣିବା ପାଇଁ ଭଙ୍ଗା ଚୌକିକୁ ଆଶା ବାଡ଼ି କରି ଜଣେ ବୃଦ୍ଧା କୋଶେ ବାଟ ପାଦରେ ଚାଲି ଚାଲି ବ୍ୟାଙ୍କକୁ ଯିବା ଘଟଣାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଦବେଗ ପ୍ରକାଶ କରିଛନ୍ତି। ମାନବିକତା ଦୃଷ୍ଟିରୁ ଏହି ଘଟଣାରେ କଣ ପଦକ୍ଷେପ ନିଆଯାଇଛି। ସେଠାରେ କୌଣସି ବ୍ୟାଙ୍କ ମିତ୍ର ନାହାନ୍ତି କି ? ଟ୍ୱିଟରରେ ଏଭଳି ପ୍ରଶ୍ନ କରିଛନ୍ତି।
ନିର୍ମଳାଙ୍କ ଟ୍ୱିଟର ଉତ୍ତର ରଖଛନ୍ତି ଏସବିଆଇ ବ୍ୟାଙ୍କ କର୍ତ୍ତୃପକ୍ଷ। ଏହି ଭିଡିଓ ଦେଖିବା ପରେ ଆମେ ମଧ୍ୟ ତାଙ୍କର କଷ୍ଟ ଅନୁଭବ କରିଛୁ। ଟିପ ଚିହ୍ନ ନମିଶିବାରୁ ଏଭଳି ସମସ୍ୟା ଉପୁଜିଥିଲା। ବୃଦ୍ଧା ତାଙ୍କ ପରିବାର ଲୋକଙ୍କ ସହ ଝରିଗାଁ ବ୍ରାଞ୍ଚକୁ ଆସିଥିଲେ। ବ୍ୟାଙ୍କ ମ୍ୟାନେଜର ତୁରନ୍ତ ତାଙ୍କର ପେନସନ ଟଙ୍କା ପୈଠ କରିଥିଲେ। ଆସନ୍ତା ମାସରୁ ବୃଦ୍ଧାଙ୍କ ଘରେ ଟଙ୍କା ଦିଆଯିବାକୁ ବ୍ୟବସ୍ଥା କରାଯାଇଛି ଓ ବୃଦ୍ଧା ସୁର୍ଯ୍ୟ ହରୀଜନଙ୍କୁ ଏକ ହ୍ବିଲ ଚେୟାର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଟ୍ୱିଟ୍ ଯୋଗେ ଉତ୍ତର ରଖିଥିଲେ। ଆଜି ଝରିଗାଁ ଏସବିଆଇ ପକ୍ଷରୁ ସୂର୍ଯ୍ୟ ହରିଜନଙ୍କ ଘରକୁ ଯାଇ ଏକ ହ୍ବିଲ୍ ଚେୟାର ପ୍ରଦାନ କରିଛନ୍ତି। ସେହିପରି ଭାବେ ୫ ଦିନ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ହ୍ବିଲ୍ ଚେୟାର ପ୍ରଦାନ କରିଥିଲେ।
ପ୍ରକାଶ ଥାଉକି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡା ଗ୍ରାମର ବୃଦ୍ଧା ସୂର୍ଯ୍ୟ ହରିଜନ(୭୨) ଭତ୍ତା ପାଇଆସୁଥିଲେ। ପୂର୍ବରୁ ପଞ୍ଚାୟତରେ ଭତ୍ତା ପାଉଥିବା ବେଳେ ସରକାର ବ୍ୟାଙ୍କ ଏକାଉଣ୍ଟକୁ ଭତ୍ତା ଟଙ୍କା ପଠାଇବା ବ୍ୟବସ୍ଥା କରିଥିଲେ। ତା ପରେ ସୂର୍ଯ୍ୟଙ୍କୁ ଅଡୁଆ ସୃଷ୍ଟି ହୋଇଥିଲା। ଭତ୍ତା ପାଇବା ପାଇଁ ସୂର୍ଯ୍ୟ ହରିଜନ ପ୍ରାୟ ୬ମାସ ହେଲା ବିଭିନ୍ନ କିଓସ୍କୋ ବ୍ୟାଙ୍କ ଯାଉଥିଲେ। କିନ୍ତୁ ତାଙ୍କ ଫିଙ୍ଗର ପ୍ରିଣ୍ଟ ମେଳ ଖାଉ ନଥିବାରୁ ଭତ୍ତା ନ ପାଇ ନିରାଶ ହୋଇ ଫେରୁଥିଲେ। ୪ ମାସ ତଳେ ଭତ୍ତା ଟଙ୍କା ପାଇଁ ସାରିଆପଡା ସ୍ଥିତ କିଓସ୍କୋ ବ୍ୟାଙ୍କକୁ ଯାଇଥିବା ବେଳେ ଟଙ୍କା ନମିଳିବାରୁ ନିରାଶ ହୋଇ ଫେରିବା ସମୟରେ ରାସ୍ତାରେ ଦୁର୍ଘଟଣାର ଶିକାର ହେବାରୁ ତାଙ୍କ ଗୋଡ଼ ଭାଙ୍ଗିଯାଇଥିଲା। ଏହାପରଠାରୁ ସୂର୍ଯ୍ୟ ଠିକ୍ ଭାବେ ଚଲାବୁଲା କରିପାରୁନାହାନ୍ତି। ତଥାପି ଭତ୍ତା ଟଙ୍କା ପାଇବା ଆଶାରେ ଗତ ୧୪ ତାରିଖ ଦିନ ବୃଦ୍ଧା ସୂର୍ଯ୍ୟ ହରୀଜନ ଚୌକି ସହାୟତାରେ କୋଶେ ବାଟ ଚାଲି ଚାଲି ଯାଉଥିଲେ ତେବେ ପ୍ରଚଣ୍ଡ ଖରାରେ ସେ ଝରିଗାଁ ବ୍ୟାଙ୍କକୁ ଯାଇ ନପାରି ପୁଣି ଫେରିଯାଇଥିଲେ।
ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାର ହେବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ସୂର୍ଯ୍ୟ ହରିଜନଙ୍କୁ ଝରିଗାଁ ଷ୍ଟେଟ୍ ବ୍ୟାଙ୍କଙ୍କୁ ନିଆଯାଇଥିଲା। ଶାଖା ପରିଚାଳକ ତାଙ୍କ ଆକାଉଣ୍ଟ ଯାଞ୍ଚ କରିବା ସହିତ ହିତାଧିକାରୀଙ୍କୁ ଚିହ୍ନଟ କରିବା ପରେ ୬ ମାସର ଭତ୍ତା ବାବଦକୁ ୩ ହଜାର ଟଙ୍କା ପ୍ରଦାନ କରିଥିଲେ। ପରିଣତ ବୟସରେ ପେନସନ ପାଇଁ ବୃଦ୍ଧା ସୂର୍ଯ୍ୟ ହରିଜନ ଦହଗଂଜ ଘଟଣାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଦବେଗ ପ୍ରକାଶ କରିଛନ୍ତି। ତେବେ ବ୍ୟାଙ୍କ ଏକାଉଣ୍ଟକୁ ଭତ୍ତା ଟଙ୍କା ଯିବା ପରେ ସୂର୍ଯ୍ୟଙ୍କ ଭଳି ବହୁ ସଂଖ୍ୟାରେ ବୃଦ୍ଧ ବୃଦ୍ଧା ବ୍ୟାଙ୍କକୁ ଦୌଡି ଅସୁବିଧା ହେଉଥିବା ନଜିର ରହିଛି। ଏପରିକି ୫ଶହ ଟଙ୍କା ଭତ୍ତା ଟଙ୍କା ପାଇବା ପାଇଁ ୨ଶହ ଟଙ୍କା ଗାଡି ଭଡା କରି ଯାଉଥିବା ବି ଅଭିଯୋଗ ହେଉଛି।