ଗୁଣିଗାରେଡ଼ି ସନ୍ଦେହ: ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା

ଢେଙ୍କିକୋଟ: ନବରଂଗପୁର ଜିଲ୍ଳାଗୁଣିଗାରେଡ଼ି ସନ୍ଦେହରେ ଗତକାଲି ବିଳମ୍ବିତ ରାତିରେ ଜଣେ ବୃଦ୍ଧାଙ୍କୁ ଅତି ନିର୍ମମ ଭାବରେ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ଏଭଳି ନୃଶଂସ ଘଟଣା ଘଟିଛି ନବରଂଗପୁର ଜିଲ୍ଳା ଢ଼େଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଭୋଳବେଡ଼ା ଗ୍ରାମର ମୁଣ୍ଡା ସାହିରେ। ମୃତକ ହେଲେ କୁନି ମୁଣ୍ଡା(୬୫)। ଖବର ପାଇ ଘଟଗାଁ ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ, ଘଟଗାଁ ଥାନା ଅଧିକାରୀ ଶ୍ୟାମଘନ ବେହେରା, ଢ଼େଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଭୋଳବେଡ଼ା ଗ୍ରାମର ମୁଣ୍ଡା ସାହିରେ ରହୁଥିଲେ ବୃଦ୍ଧା କୁନି ମୁଣ୍ଡା। ଗାଁ‌ର ଜଣେ ନାବାଳକଙ୍କ ବାପାମା ଅକାଳରେ ମୃତ୍ୟୁବରଣ କରିଛନ୍ତି। ସେହିପରି ଜଣେ ନାବାଳିକାଙ୍କ ମା’ଙ୍କୁ ଦୀର୍ଘ ୮ମାସରୁ ଅଧିକ ଦିନ ଧରି ଜ୍ବର ଛାଡ଼ୁ ନାହିଁ। ଏଭଳି ସ୍ଥିତିରେ ବୃଦ୍ଧା ଜଣଙ୍କ ଗୁଣିଗାରେଡ଼ି କରିଥିବା ସେମାନେ ସନ୍ଦେହ କରିଥିଲେ। ସେଥିପାଇଁ ଗତକାଲି ବିଳମ୍ବିତ ରାତିରେ ଜଣେ ନାବାଳକ ଓ ଜଣେ ନାବାଳିକା ମିଶି ବୃଦ୍ଧାଙ୍କ ଘରେ ପଶିଥିଲେ। ଏକ ଟାଙ୍ଗିଆରେ ବୃଦ୍ଧାଙ୍କୁ ଅତି ନିର୍ମମ ଭାବରେ ଚୋଟ ପରେ ଚୋଟ ପକାଇ ଚାଲିଥିଲେ। ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା।

ଆଜି ଘଟଣା ଜଣାପଡ଼ିବା ପରେ ପୁଲିସକୁ ଖବର ଦିଆଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ହତ୍ୟାରେ ବ୍ୟବହୃୃତ ଟାଙ୍ଗିଆକୁ ଜବତ କରିିଛି। ଘଟଣାରେ ସଂପୃକ୍ତ ନାବାଳକ ଓ ନାବାଳିକାଙ୍କୁ ପୁଲିସ ଥାନାକୁ ଆଣି ପଚରାଉଚରା କରୁଛି। ଆସନ୍ତାକାଲି ସେମାନଙ୍କୁ ଜୁଭେନାଇଲ ବୋର୍ଡରେ ହାଜର କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର