ହାତୀ ଆକ୍ରମଣରେ ବୃଦ୍ଧ ମୃତ; କଦଳୀ ବଗିଚା ନଷ୍ଟ କଲେ, ପାଣି ଟାଙ୍କି ଭାଙ୍ଗିଲେ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ବସନ୍ତପଡ଼ା ପଞ୍ଚାୟତ ନିୟମଗିରି ପାହାଡ଼ର ପାଦ ଦେଶରେ ଥିବା ଡେଙ୍ଗସରଗି ଗ୍ରାମରେ ହାତୀ ଆକ୍ରମଣରେ ସୋମବାର ସକାଳେ ରାଇ ମାଝୀ (୬୧)ଙ୍କ ମୃତ୍ୟୁ ହୋଇଛି। ରାଇ ଭୋର ସାଢ଼େ ୪ଟାରେ ଗାଁ ମୁଣ୍ଡରେ ଥିବା ପାଣି ଟାଙ୍କି ନିକଟକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ନିୟମଗିରି ପାହାଡ଼ରୁ ପ୍ରାୟ ୧୦ରୁ ୧୫ ହାତୀପଲ ପୂର୍ବରୁ ଆସି ପାଣି ଟାଙ୍କିକୁ ଭଙ୍ଗାରୁଜା କରିବା ସହ ନିକଟରେ ଥିବା କୁମାରୀ ମାଝୀଙ୍କ କଦଳୀ ବଗିଚାକୁ ସମ୍ପୂର୍ଣ୍ଣ ନଷ୍ଟ କରି ରାଇଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ରାଇଙ୍କ ପୁତୁରା ଦଶରଥ ମାଝୀ ସକାଳୁ ସେଇ ବାଟ ଦେଇ ଜଙ୍ଗଲକୁ ଯାଉଥିବା ବେଳେ ରାଇଙ୍କ ମୃତଦେହ ପାଣିଟାଙ୍କି ନିକଟରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ସେ ଗାଁକୁ ଯାଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।

ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦ ଓ ଲାଞ୍ଜିଗଡ଼ ବନପାଳ ବୃଷଭ ବେଶ୍ରା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଲାଞ୍ଜିଗଡ଼ ପୁଲିସ୍‌କୁ ଜଣାଇଥିଲେ। ଲାଞ୍ଜିଗଡ଼ ଥାନା ପକ୍ଷରୁ ଏଏସ୍‌ଆଇ ରମାରମଣ ମିଶ୍ର, କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଏସିଏଫ୍ ଅନୀଲ ରାୟ, ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ଇ. ଫକୀର ମୋହନ ମାଝୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପୁଲିସ ଶବ ଜବତ କରି କେସ୍‌ ନଂ ୪/୨୦୨୧ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତକଙ୍କ ପରିବାରଙ୍କୁ ଶୁଦ୍ଧିକ୍ରିୟା ପାଇଁ ରେଞ୍ଜର ଶ୍ରୀ ମହାନନ୍ଦ ୫ହଜାର ଟଙ୍କା ପ୍ରଦାନ କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ଆବଶ୍ୟକ କାଗଜ ପତ୍ର ମିଳିବା ପରେ କ୍ଷତିପୂରଣ ବାବଦକୁ ସରକାରଙ୍କ ଯାହା ସୁବିଧା ଅଛି ପ୍ରଦାନ କରାଯିବ ବୋଲି ରେଞ୍ଜର ଶ୍ରୀ ମହାନନ୍ଦ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର