ପୁଅ ମାଡ଼ରେ ଘର ଛାଡ଼ିଲେ ବୁଢ଼ା ବାପା

ପାଇକମାଲ : ନୃସିଂହନାଥରେ ଅସହାୟ ଅବସ୍ଥାରେ ରବିବାର କାନ୍ଦୁଥିଲେ ଜଣେ ଅସୁସ୍ଥ ବୃଦ୍ଧ। ସ୍ଥାନୀୟ କେତେକ ଯୁବକ ତାଙ୍କୁ ଉଦ୍ଧାର କରି ପାଇକମାଲ ଡାକ୍ତରଖାନାକୁ ନେଲେ। ପ୍ରାଥମିକ ଚିକିତ୍ସା ପରେ ଥାନାରେ ଜିମା ଦେଇଥିଲେ। ସେଠାରେ ପୁଲିସ୍ ପଚାରିବା ପରେ ବୃଦ୍ଧ ଜଣକ କହିଥିଲେ ନିଜର କରୁଣ କାହାଣୀ। ତାଙ୍କ ନାଁ କୃଷ୍ଣ ସାହୁ (୬୫) ଓ ଘର ବରଗଡ଼ ଉପକଣ୍ଠ ବରାହଗୁଡ଼ା ଗୌରାଙ୍ଗ ଟିକିରା‌େର। କୃଷ୍ଣଙ୍କ କହିବାନୁସାରେ ତାଙ୍କ ବଡ଼ ପୁଅ ରାଜୁ ସାହୁ ୭ ଦିନ ତଳେ ତାଙ୍କୁ ଭୀଷଣ ମାଡ଼ ମାରିବା ସହ ରକ୍ତାକ୍ତ କରି ପକାଇଥିଲେ। ଫଳରେ ସେ ଘର ଛାଡ଼ି କୌଣସି ମତେ ପଦ୍ମପୁର ଚାଲି ଆସିଥିଲେ। ଜଣେ ଲୋକ ତାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ନେଇ କ୍ଷତଗୁଡ଼ିକର ଚିକିତ୍ସା କରାଇଥିଲେ। ସେଠାରେ ଦୁଇ ଦିନ ରହିବା ସହ ଆହାର କେନ୍ଦ୍ରରେ ଖାଇଥିଲେ। ପ‌ରେ କେହି ଜଣେ ତାଙ୍କୁ ନୃସିହ˚ନାଥ ପଳାଇ ଯାଅ ସେଠାରେ ରହିବା ସୁବିଧା ଅଛି କହିବାରୁ ନୃସିଂହନାଥ ଚାଲି ଆସିଥିଲେ। ଆଜି ମନ୍ଦିରରେ ଦିଆଯାଉଥିବା ଭୋଗ ଖାଇସାରିବା ପରେ ଅପରାହ୍ଣରେ ବସି କାନ୍ଦୁଥିଲେ। ଏହି ସମୟରେ ପାଇକମାଲର ରାଜେଶ ସା, ବିନୀତ କାଲିଆ, ଆଶିଷ ଦାସ, ମନୋଜ ପ୍ରଧାନ, ଭଜରାଜ ଭୋଇ, ଆଶୁତୋଷ ସାହୁ, ସୁନୀଲ ନାଗ, ରଶ୍ମି ହ˚ସ, କ୍ରିଷ୍ଣା ଅଗ୍ରୱାଲ ପ୍ରମୁଖ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ଓ ଥାନାକୁ ନେଇଥିଲେ।

ପରେ ଆଇଆଇସି ବିଶ୍ବଜିତ ମନୋବତ ବରଗଡ଼ ଥାନାକୁ ସୂଚନା ଦେବା ସହ ପାଇକମାଳ କେଜିଏମ୍‌ରେ ତାଙ୍କୁ ରଖିବା ବ୍ୟବସ୍ଥା କରିଛନ୍ତି। କୃଷ୍ଣଙ୍କର ଦୁଇ ପୁଅ ଓ ଦୁଇ ଝିଅ ଥିବା ସହ ୫ ଏକର ଜମି ଥିଲେ ହେଁ ପୁଅମାନେ ସବୁବେଳେ ପିଟାମରା କରୁଥିବା ଦର୍ଶାଇ ସେ ଘରକୁ ଯିବାକୁ ମନ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର