ବୁଢା ବାପାକୁ ଭୁଲିଗଲେ ପରିବାର, ବଡଦାଣ୍ଡରୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର

ପୁରୀ: ପରିଣତ ବୟସରେ ନିଜ ପରିବାର ପାଇଁ ଅଲୋଡ଼ା ହୋଇଯାଇଥିଲେ ଭରତ ଅଜା | ଯେତେବେଳେ ପରିବାର ଲୋକ ଅଣଦେଖା କଲେ ଧାଇଁ ଆସିଲେ ବଡ଼ଦାଣ୍ଡକୁ | ଯିଏ ଯାହା ଦେଉଥିଲେ ଖାଇଦେଉଥିଲେ | ମନରେ ଥିଲା ଗୋଟିଏ କଥା କାଳିଆ ତ ଅଛି | ଯାହା ବି କରିବ କାଳିଆ କରିବ | ଯେତେଦିନ ବଞ୍ଚିବାର ଥିବ, ସେତେଦିନ ବଞ୍ଚିବେ | ସେଥିପାଇଁ ବଡଦାଣ୍ଡରେ ବ୍ୟାରିକେଡ଼ ପାଖରେ ବସିରହିଥିଲେ ଅଜା | କେବେ ବର୍ଷା ତ ପୁଣି କେବେ ଖରା ଦିନରାତି, ଭରତ ଅଜାଙ୍କ ପାଇଁ ବଡଦାଣ୍ଡ ପାଲଟିଥିଲା ସବୁ କିଛି |

ହେଲେ ଅଜାଙ୍କୁ ହୋଇଯାଇଥିଲା ଜ୍ୱର | ପ୍ରବଳ ଜ୍ୱରରେ କମ୍ପୁଥିଲେ ଅଜା | ନିଜ ଶରୀରର ଅସୁସ୍ଥତା ବାବଦରେ କାହାକୁ ବା କହିବେ, କିଏ ଶୁଣିବ | ଥୁରୁଥୁରୁ ଦେହରେ ବି ନିରବ ହୋଇ ବସିରହିଥିଲେ | ତେବେ ବଡ଼ଦାଣ୍ଡରୁ ଭିକାରୀଙ୍କୁ ଅନ୍ୟତ୍ର ଯିବାକୁ ପ୍ରଶାସନ ପକ୍ଷରୁ ପ୍ରଚେଷ୍ଟା କରାଯାଉଥିବାବେଳେ ନଜରରେ ପଡ଼ିଥିଲେ ଭରତ ଅଜା |

ତାଙ୍କ ସ୍ୱାସ୍ଥ୍ୟର ଏଭଳି ଅବସ୍ଥା ଦେଖି ତୁରନ୍ତ ପୁଲିସ ଓ ପ୍ରଶାସନର ସହାୟତାରେ ପୁରୀ ମ୍ୟୁନିସିପାଲଟିର ଆଶ୍ରୟ ଗୃହକୁ ନିଆଯାଇଥିଲା | ଏହାପରେ ଭରତ ଅଜାଙ୍କର ଚିକିତ୍ସା କରାଯାଇଥିଲା | ଏବେ ସେ ସୁସ୍ଥ ହେବା ସହ ଆଶ୍ରୟ ଗୃହରେ ଅନ୍ୟ ଅନ୍ତେବାସୀଙ୍କ ସହ ଖୁସିରେ ରହୁଛନ୍ତି |

ସମ୍ବନ୍ଧିତ ଖବର