ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗନଗର ଉତ୍ତମସିଂହଟିଂରେ ଜଣେ ବୃଦ୍ଧାଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ଉତ୍ତମସିଂହଟିଂର ମଙ୍ଗଲୀ ପାତ୍ର (୭୦)। ପ୍ରାପ୍ତ ସୂଚନା ଅନୁସାରେ ମଙ୍ଗଲୀଙ୍କ ପରିବାର ସହ ପଡ଼ୋଶୀଙ୍କ ବିଭିନ୍ନ ସମୟରେ ଝଗଡ଼ା ହେଉଥିଲା। ଗତକାଲି ମଙ୍ଗଲୀଙ୍କ ପୁଅବୋହୂ ଓ ନାତୁଣୀ ଭୁବନେଶ୍ବର ଯାଇଥିଲେ। ଘରେ ଏକୁଟିଆ ମଙ୍ଗଲୀ ଥିଲେ। ଆଜି ସକାଳୁ ତାଙ୍କ ରକ୍ତାକ୍ତ ମୃତଦେହ ଘରଠାରୁ ୩୦ ମିଟର ଦୂରରେ ଥିବା ପରିତ୍ୟକ୍ତ ଜଙ୍ଗଲିଆ ସ୍ଥାନରେ ପଡ଼ିଥିବା ଦେଖିବାକୁ ମିଳିଥିଲା।
ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବେଳେ ପାଖରେ ଏକ ରକ୍ତ ଲଗା ପଥର ପଡ଼ିଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମଙ୍ଗଲୀଙ୍କ ପୁଅ ଦାମସିଂ ପାତ୍ର କହିଛନ୍ତି, ତାଙ୍କ ମା’ଙ୍କୁ ପଥର ଛେଚି ହତ୍ୟା କରାଯିବା ପରେ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଦିଆଯାଇଛି। ଏ ସମ୍ପର୍କରେ ସେ ପୁଲିସ ନିକଟରେ ଅଭିଯୋଗ କରିଥିବା କହିଛନ୍ତି। ଏନେଇ ମାମଲାର ତଦନ୍ତକାରୀ ଅଧିକାରୀ ଏସ୍ଆଇ ଆଲୋକ କୁମାର ପରିଡ଼ା କହିଛନ୍ତି, ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଆଶଙ୍କା କରାଯାଉଛି। ବୃଦ୍ଧା ଜଣଙ୍କ ବାହାରକୁ ଆସିଥିବା ବେଳେ ପଡ଼ିଯିବାରୁ ପଥରରେ ତାଙ୍କ ମୁଣ୍ଡ ମାଡ଼ ହୋଇଯାଇଛି। ଏହାଦ୍ବାରା ତାଙ୍କର ମୃତ୍ୟୁ ଘଟିଥାଇପାରେ ଶ୍ରୀ ପରିଡ଼ା କହିଛନ୍ତି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଶ୍ରୀ ପରିଡ଼ା କହିଛନ୍ତି।