ନଦୀରେ ଭାସିଗଲେ ବୃଦ୍ଧ, ଛାତ୍ର

ଜଣକର ମୃତଦେହ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ଉଦଳା-୧/ବସ୍ତା-୨ : ଦେଓ ନଦୀରେ ଭାସିଯାଇ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବାବେଳେ ମୂର୍ତ୍ତି ବିସର୍ଜନ ସମୟରେ ଜଣେ ୧୫ ବର୍ଷ ବାଳକ ସୁବର୍ଣ୍ଣରେଖା ନଦୀରେ ନିଖୋଜ ହୋଇଯାଇଛନ୍ତି। ମୃତକ ମୁଷୁ ହେମ୍ବ୍ରମ୍‌ (୬୫)ଙ୍କ ଶବ ଆଜି ଦିନ ଗୋଟାଏ ସମୟରେ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷରେ ନିଖୋଜ ଛାତ୍ର ଗୁରୁପ୍ରସାଦ ସାମଲଙ୍କୁ ଉଦ୍ଧାର କରିବା ଲାଗି ବସ୍ତା ଓ ଜଳେଶ୍ବର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦିନତମାମ ପ୍ରୟାସ ଜାରି ରଖିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନାହିଁ।

ମୃତକ ମୁଷୁ ହେମ୍ବ୍ରମ୍‌ଙ୍କ ନିଜ ଘର ବାଲେଶ୍ୱର ଜିଲ୍ଲା ବରହମ୍‌ପୁର ଥାନା ଅନ୍ତର୍ଗତ ତେଲିପାଳ ଗାଁରେ। ଗଲା କିଛି ବର୍ଷ ଧରି ସେ ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଳକ ଅଦାପାଳସ୍ଥିତ ନିଜ ଜ୍ୱାଇଁଙ୍କ ଘରେ ରହୁଥିଲେ। ଗତକାଲି ଅପରାହ୍ନରେ ଗାଁ ପାଖ ଜଙ୍ଗଲକୁ ଗୋରୁପଲ ଚରାଇ ନେବାକୁ ନଦୀ ପାର୍‌ ହେଉଥିବାବେଳେ ସୁଅରେ ଭାସି ଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଉଦଳା ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ୍‌ ଟିମ୍‌ ଗତକାଲି ଓ ଆଜି ଦିନ ୧୧ଟା ଯାଏ ଖୋଜାଖୋଜି କରିଥିଲେ ମଧ୍ୟ ମୁଷୁଙ୍କର କୌଣସି ସନ୍ଧାନ ମିଳିନଥିଲା। ତେବେ ଆଜି ଦିନ ପ୍ରାୟ ଗୋଟାଏ ସମୟରେ ମୃତଦେହ ନଦୀରେ ଭାସିବା ପରେ ଓଡ୍ରାଫ୍‌ ଟିମ୍ ସହାୟତାରେ ଶବ ଉଦ୍ଧାର କରାଯାଇଛି।

ସେହିପରି ରବିବାର ପୂର୍ବାହ୍ନରେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଳକ ବେଣାପୂରା ବାରୁଣୀ ଘାଟରେ ଜଣେ ନାବାଳକ ଛାତ୍ର ଗଣେଶ ମୂର୍ତ୍ତି ବିସର୍ଜନ କରିବାବେଳେ ପ୍ରଖର ଜଳସ୍ରୋତରେ ଭାସିଯାଇଥିଲେ। ବସ୍ତା ଥାନା ରାମଚନ୍ଦ୍ରପୁର ଗ୍ରାମର ରାମହରି ସାମଲଙ୍କ ପୁଅ ଗୁରୁପ୍ରସାଦ (୧୫) ଓ ତାଙ୍କର କିଛି ସହପାଠୀ ଆଜି ଦିନ ସାଢ଼େ ୧୧ଟା ବେଳକୁ ଗଣେଶ ମୂର୍ତ୍ତି ଭସାଣ ପାଇଁ ସୁବର୍ଣ୍ଣରେଖା ନଦୀର ବାରୁଣୀ ଘାଟକୁ ଆସିଥିଲେ। ନଦୀରେ ମୂର୍ତ୍ତି ବିସର୍ଜନ ବେଳେ କେତେକ ସହପାଠୀ ପାଣିକୁ ଡେଇଁଥିଲେ। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳସ୍ରୋତ ଅଧିକ ଥିବାବେଳେ ୩ ଜଣ ଛାତ୍ର ଭାସିଯାଇଥିଲେ। ତେବେ ଘାଟରେ ଗାଧୋଉଥିବା କିଛି ଲୋକ ଦୁଇ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଗୁରୁପ୍ରସାଦ ଭାସିଯାଇଥିଲେ। ବସ୍ତା ଓ ଜଳେଶ୍ଵର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ବୁଡ଼ି ଖୋଜାଖୋଜି କରିଥିଲେ ମଧ୍ୟ ଗୁରୁପ୍ରସାଦଙ୍କର ପତ୍ତା ମିଳିନଥିଲା।

ମଟରଚାଳିତ ବୋଟ୍‌ ଯୋଗେ ଅଗ୍ନିଶମ କର୍ମଚାରୀ ଆଜି ଦିନତମାମ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଗୁରୁପ୍ରସାଦଙ୍କୁ ଠାବ କରାଯାଇପାରିନାହିଁ। ଗୁରୁପ୍ରସାଦ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହି ଘଟଣା ପରେ ତାଙ୍କ ପରିବାରରେ କାନ୍ଦବୋବାଳି ପଡ଼ିଛି।

ସମ୍ବନ୍ଧିତ ଖବର